ଜିଏସଟି କାଉନସିଲ ବୈଠକ ଶେଷ, ଏପ୍ରିଲ ୧ରୁ ଇ-ୱେ ବିଲ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୨୬ ତମ ବୈଠକ କୌଣସି ସହମତି ବିନା ସମାପ୍ତ ହୋଇଛି । ଫଳରେ ଗତ କିଛି ମାସ ଧରି ପ୍ରଚଳିତ ଜିଏସଟି ଫାଇଲିଂ ପଦ୍ଧତି ଏବେ ଆଉ ତିନିମାସ ପାଇଁ ବଢାଇଦିଆଯାଇଛି । ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟ ରାଜ୍ୟ ମଧ୍ୟରେ ଇ-ୱେ ବିଲ୍‌ ବ୍ୟବସ୍ଥା ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ଜିଏସଟି ବ୍ୟବସ୍ଥା ଯେପରି ତ୍ରୁଟିଶୂନ୍ୟ ହୋଇପାରିବ ଓ ଟିକସ ଠକେଇ ଯେପରି ସମ୍ଭବ ହେବନାହିଁ ତାହା ନିଶ୍ଚିତ କରିବାକୁ ପଡିବ । ଏଣୁ ଏ ଉପରେ ଆହୁରି ଆଲୋଚନା ପର୍ଯ୍ୟାଲୋଚନାର ସୁଯୋଗ ରହିଛି । ଏହି ବୈଠକରେ ଯୋଗ ଦେଇଥିବା ଓଡ଼ିଶାର ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି ଯେ ଜିଏସଟି ବ୍ୟବସ୍ଥାରେ ଥିବା ତ୍ରୁଟି ସୁଧାରିବା ଲାଗି ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ଯେ ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ େଓ୍ଵ ବିଲ୍‌ ବା ଇ-ୱେ ବିଲ୍‌ ଆବଶ୍ୟକ ପଡିଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ, ଇ-ୱେ ବିଲ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ)ଦାଖଲ କରି ଇ-ୱେ ବିଲ୍‌ ବାହାର କରିହେବ । ତେବେ ପୂର୍ବରୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଥିଲା ଯେ ଜାନୁୟାରୀ ୧ରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରି ଏପ୍ରିଲ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରାଯିବ । କିନ୍ତୁ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହାକୁ ଫେବ୍ରୁଆରୀ ୧ରୁ ଲାଗୁହୋଇଥିଲା । କିନ୍ତୁ ଏହାର ଆଇଟି ସିଷ୍ଟମ କ୍ରାସ କରିଯିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏପ୍ରିଲରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର