ବଦଳିବ ୨୬ ବର୍ଷ ପୁରୁଣା ଶିଳ୍ପ ନୀତି

ନୂଆଦିଲ୍ଲୀ: ଜିଏସ୍‌ଟି ଜରିଆରେ ପରୋକ୍ଷ ଟିକସ କ୍ଷେତ୍ରରେ ସଂସ୍କାର ଆଣିବା ପରେ ଆୟକର ନିୟମକୁ ବଦଳାଇବାକୁ ଅଣ୍ଟା ଭିଡ଼ିଥିବା କେନ୍ଦ୍ର ସରକାର ଆଉ ଏକ ପୁରୁଣା ନିୟମକୁ ବଦଳାଇବାକୁ ଯାଉଛନ୍ତି। ସରକାର ୨୬ ବର୍ଷ ପୁରୁଣା ଶିଳ୍ପ ନୀତିକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୧୯୯୧ରେ ଲାଗୁ ହୋଇଥିବା ଶିଳ୍ପ ନୀତି ବଦଳରେ ନୂଆ ଶିଳ୍ପ ନୀତି ଆସିବ। ଚିଠା ନିୟମ ପ୍ରସ୍ତୁତ ହୋଇଯାଇଛି।
ବିଭିନ୍ନ ଅଂଶୀଦାରମାନଙ୍କ ସହ ଏ ନେଇ ଆଲୋଚନା କରିବା ପାଇଁ ରୋଡ୍‌ ସୋ’ ଆୟୋଜନ କରାଯିବ। ନୂଆ ଶିଳ୍ପ ନିୟମରେ ସରକାର ନିୟମ ବୋଝ କମ୍‌ କରିବାକୁ ଚାହୁଁଛନ୍ତି। ଆଜିର ସମୟ ଯାହା ଦରକାର କରୁଛି ସେ ସବୁ ବ୍ୟବସ୍ଥା ନୂଆ ନିୟମରେ ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ଟିଭି ସାକ୍ଷାତକାର ବେଳେ ସେ କହିଛନ୍ତି ଯେ ଆମେ ଶିଳ୍ପ ନୀତିରେ ତିନିଟି ବିଷୟ ପ୍ରତି ଗୁରୁତ୍ୱ ଦେଉଛୁ। ଗୋଟିଏ ହେଉଛି ନିୟାମକ ବୋଝ କମ କରିବୁ। ଦ୍ୱିତୀୟଟି ହେଉଛି ପୁରୁଣା ସଂସ୍ଥାଗୁଡ଼ିକର ଆଧୁନିକୀକରଣ ପ୍ରତି ଗୁରୁତ୍ୱ ପ୍ରଦାନ ଏବଂ ତୃତୀୟ ବିଷୟଟି ହେଉଛି ଉଦୀୟମାନ କ୍ଷେତ୍ରକୁ ସହାୟତା।
ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ଭଳି ଉଦୀୟମାନ କ୍ଷେତ୍ର କିଭଳି ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୋଇପାରିବେ ଏବଂ ଭାରତ ପାଇଁ ତାହା କେବେ ଉପଯୋଗୀ ହେବ ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି ବୋଲି ସେ କହିଛନ୍ତି।
ଶିଳ୍ପ ନୀତି ଓ ବିକାଶ ବିଭାଗ (ଡିଆଇପିପି) ପକ୍ଷରୁ ଅଗଷ୍ଟରେ ଏକ ଚିଠା ନୀତି ଉନ୍ମୋଚନ କରାଯାଇଥିଲା। ଆସନ୍ତା ଦୁଇ ଦଶନ୍ଧୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ପ୍ରଯୁକ୍ତିର ଆଦାନ ପ୍ରଦାନ ଏବଂ ବର୍ଷକୁ ୧୦୦ ବିଲିଅନ ଡଲାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ପାଇଁ ଚିଠା ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର