ମୁମ୍ବାଇ: ଚଳିତ ବର୍ଷ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରୁ ହାରାହାରି ଭାବେ ଦିନକୁ ୨୭୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। କେବଳ ଫେବ୍ରୁଆରିରେ ସେମାନେ ୪୧,୭୪୮ କୋଟି ଟଙ୍କାର ଇକ୍ବିଟି ସେୟାର ବିକିଛନ୍ତି। ଗତ ଫେବ୍ରୁ୍ଆରି ମାସର ଶେଷ ଦିନରେ ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଓ)ମାନେ ୧୧,୬୩୯ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି, ଯାହା ଗୋଟିଏ ଦିନରେ ସର୍ବବୃହତ୍‌ ପ୍ରତ୍ୟ‌ାହାର ବିଚାର କରାଯାଉଛି। ଏହା ପୂର୍ବରୁ ଗତ ଜାନୁଆରି ୧୪ରେ ସେମାନେ ସର୍ବାଧିକ ୮୧୩୨ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ୨୦୨୫ରେ ବିଦେଶୀ ନିବେଶକମାନେ ମୋଟ ଉପରେ ୧,୨୩,୬୫୨ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ବର୍ଷର ପ୍ରଥମ ଦୁଇ ମାସରେ ୪୬ଟି ଦିନ କାରବାର ହୋଇଥିଲା। ସେଥିରୁ ୪୩ଟି ଦିନ ସେମାନେ ହାରାହାରି ଭାବେ ଦୈନିକ ୨,୬୮୮ କୋଟି ଟଙ୍କାର ଇକ୍ବିଟି ସେୟାର ବିକ୍ରି କରିଛନ୍ତି।

Advertisment

ସେନ୍‌‌ସେକ୍ସରେ ୧୨,୮୯୨ ପଏଣ୍ଟ ହ୍ରାସ
ନିଫ୍ଟି ହରାଇଲାଣି ୪,୧୮୫ ପଏଣ୍ଟ
ନିବେଶକଙ୍କ ଡୁବିଲା ୯୪ ଲକ୍ଷ କୋଟି

ଗତବର୍ଷ ଅକ୍ଟୋବରଠାରୁ ଚଳିତ ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ, ପାଞ୍ଚ ମାସ ହେଲଣି ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ସେଥିପାଇଁ ଅଧିକାଂଶ ଦିନ ଭାରତୀୟ ଷ୍ଟକ୍ ବଜାର ଅସ୍ଥିର ରହୁଛି। ଗତବର୍ଷ ସେପ୍ଟେମ୍ବର ୨୭ରେ ନିଫ୍ଟି ଏହାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୬,୨୭୭ ପଏଣ୍ଟରେ ପହଞ୍ଚିଥିଲା। ପାଞ୍ଚ ମାସ ଭିତରେ ତାହା ୪୧୮୫ ପଏଣ୍ଟ ତଳକୁ ଖସିଛି। ଅନ୍ୟ ପକ୍ଷରେ, ‌ସେନ୍‌ସେକ୍ସ ଏହାର ସର୍ବୋଚ୍ଚ ସ୍ତର ୮୫,୯୭୮ ପଏଣ୍ଟରୁ ୧୨,୮୯୨ ପଏଣ୍ଟ ତଳକୁ ଖସି ୭୩,୦୮୫ ପଏଣ୍ଟରେ ଆସି ପହଞ୍ଚିଛି। ଆଲୋଚ୍ୟ ପାଞ୍ଚ ମାସ ଭିତ‌ରେ ନିବେଶକମାନେ ୯୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୭ରେ ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୭୮ ଲକ୍ଷ କୋଟି ଟଙ୍କା ଥିଲା। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୧୨ ପଏଣ୍ଟ ହ୍ରାସ ପାଇ ୭୩,୦୮୫ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫ ପଏଣ୍ଟ ତଳକୁ ଖସି ୨୨,୧୧୯ ପଏଣ୍ଟରେ ବନ୍ଦ ହୋଇଛି।