ଦାରିଦ୍ର୍ୟ କବଳରୁ ୨୭ କୋଟି ଲୋକଙ୍କୁ ମୁକ୍ତି

୧୦ ବର୍ଷରେ ଦାରିଦ୍ର୍ୟ ହାର ୫୫%ରୁ ୨୮%କୁ ଖସିଲା

ନୂଆଦିଲ୍ଲୀ: ଭାରତରେ ୨୦୦୫-୦୬ରୁ ୨୦୧୫-୧୬ ଭିତରେ ୨୭ କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି। ୟୁଏନ୍‌ଡିପି ଓ ଅକ୍ସେଫୋର୍ଡ ପଭର୍ଟି ଆଣ୍ଡ୍ ହ୍ୟୁମାନ୍ ଡେଭେଲପ୍‌ମେଣ୍ଟ୍‌ ଇନିସିଏଟିଭ୍ ତରଫରୁ ପ୍ରସ୍ତୁତ କରାଯାଇଥିବା ଦାରିଦ୍ର୍ୟ ସୂଚୀରୁ ଏହା ଜଣାପଡ଼ିଛି।
ୟୁଏନ୍‌ଡିପିର ରିପୋର୍ଟରେ କୁହାଯାଇଛି ଯେ, ଆଲୋଚ୍ୟ ୧୦ ବର୍ଷ ଭିତରେ ଭାରତରେ ଦାରିଦ୍ର୍ୟ ହାର ୫୫%ରୁ ୨୮%କୁ ହ୍ରାସ ପାଇଛି। ମୋଟ ୨୭.୧୦ କୋଟି ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତି ମିଳିଛି। ମୁସଲମାନ ଏବଂ ଅନୁସୂଚିତ ଜନଜାତିଙ୍କ ମଧ୍ୟରେ ଗରିବ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହି ରିପୋର୍ଟ ପ୍ରସ୍ତୁତ କରିବା ବେଳେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣ ମାନ ଭଳି ୧୦ଟି କଠୋର ମାନଦଣ୍ଡକୁ ବିଚାରକୁ ନିଆଯାଇଥିଲା।
ଏହି ରିପୋର୍ଟ କହୁଛି ଯେ, ଗରିବ ଲୋକଙ୍କ ସଂଖ୍ୟା କମ୍ କରିବାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ତଥାପି ଦେଶରେ ୩୬.୪ କୋଟିରୁ ଅଧିକ ଲୋକ ଏବେବି ଗରିବ ହୋଇରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୫.୬ କୋଟି ହେଉଛନ୍ତି ଶିଶୁ। ଗରିବଙ୍କ ମଧ୍ୟରୁ ୨୭% ଶିଶୁ ସେମାନଙ୍କ ଦଶମ ଜନ୍ମଦିନ ପାଳନ କରିନାହାନ୍ତି।
୨୦୦୫-୦୬ରେ ଭାରତରେ ଗରିବ ପିଲାମାନଙ୍କ ସଂଖ୍ୟା ୨୯.୨ କୋଟି ଥିଲା। ୨୦୧୫-୧୬ ସୁଦ୍ଧା ସେମାନଙ୍କ ସଂଖ୍ୟା ୪୭% ହ୍ରାସ ପାଇ ୧୩.୬ କୋଟିରେ ପହଞ୍ଚିଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ୬୪୦ଟି ଜିଲ୍ଲା ମଧ୍ୟରୁ ସବୁଠୁ ଗରିବ ଜିଲ୍ଲା ହେଉଛି ମଧ୍ୟପ୍ରଦେଶର ଆଲିରାଜପୁର। ସେହି ଜିଲ୍ଲାର ୭୬.୫% ଲୋକ ହେଉଛନ୍ତି ଗରିବ। ବିହାରରେ ଅଧାରୁ ଅଧିକ ଲୋକ ଗରିବ ହୋଇ ରହିଛନ୍ତି। ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ୧୯.୬ କୋଟି ଗରିବ ଲୋକ ବାସ କରୁଛନ୍ତି। ସାରା ଦେଶର ଅଧା ଗରିବ ଲୋକ ଏହି ଚାରିଟି ରାଜ୍ୟରେ ରହୁଛନ୍ତି। ଭାରତର ୧୧.୩ କୋଟି ଲୋକ ଅତ୍ୟନ୍ତ ଗରିବ ଭାବେ ଜୀବନଯାପନ କରୁଛନ୍ତି। ଦେଶରେ ପ୍ରତି ତୃତୀୟ ମୁସଲମାନ ହେଉଛନ୍ତ ଗରିବ। ଖ୍ରିଷ୍ଟିଆନ୍‌ମାନଙ୍କ ମଧ୍ୟରେ ପ୍ରତି ଷଷ୍ଠ ବ୍ୟକ୍ତି ହେଉଛନ୍ତି ଗରିବ।

ସମ୍ବନ୍ଧିତ ଖବର