ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ବା ଡିଜିଟାଲ୍ ମାଧ୍ୟମରେ ଋଣ ଦେଉଥିବା ଆପ୍‌ଗୁଡ଼ିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଲୋକମାନଙ୍କୁ ଠକୁଥିବା ୨୭ଟି ଡିଜିଟାଲ୍ ଲୋନ୍ ଆପ୍‌କୁ ବ୍ଳକ୍ କରାଯାଇଛି। ଏହି ଆପ୍‌ଗୁଡ଼ିକୁ ବ୍ଲକ୍ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ କୁହାଯାଇଥିଲା। ତେବେ କେଉଁ ଆପ୍‌ଗୁଡ଼ିକୁ ବ୍ଲକ୍ କରାଯାଇଛି ତାହାର ତାଲିକା ଜାରି କରାଯାଇନାହିଁ। କିଛି ଦିନ ତଳେ ଗୁଗୁଲ୍ ପକ୍ଷରୁ ମଧ୍ୟ ୧୦୦ରୁ ଅଧିକ ଋଣ ଆପ୍‌କୁ ପ୍ଲେଷ୍ଟୋର୍‌ରୁ ହଟାଇ ଦିଆଯାଇଥିଲା। ଏହି ଆପ୍‌ଗୁଡ଼ିକ ଗୁଗୁଲ୍‌ ନିୟମ ଉଲ୍ଲଂଘନ କରୁଥିଲେ।

Advertisment

ଚୀନ୍‌ର ଡିଜିଟାଲ୍ ଲୋନ୍ ଆପ୍‌ଗୁଡ଼ିକ ଭାରତରେ ବେଶ ସକ୍ରିୟ ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ଲୋଭ ଦେଖାଇ ସୁବିଧାରେ ଋଣ ଦେଉଛନ୍ତି। ଯେଉଁମ‌ାନେ ଋଣ ଶୁଝିବାରେ ବିଫଳ ହେଉଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରୁଛନ୍ତି ଏବଂ ସେମାନଙ୍କ ସମ୍ମାନ ହାନି କରିବାକୁ ପଛାଉ ନାହାନ୍ତି। କିଛି ମାସ ତଳେ ଏଭଳି ଠକ ଋଣ ଆପ୍‌ର ଶିକାର ହୋଇ ଦେଶର ବିଭିନ୍ନ ସ୍ଥାନରେ କିଛି ଲୋକ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ସେହି ଖବରକୁ ଗମ୍ଭୀରତାର ସହ ନେଇଥିଲା ଏବଂ ଏକ କମିଟି ଗଠନ କରିଥିଲା। ଅନ୍‌ଲାଇନ୍‌ରେ ଋଣ ଯାଚୁଥିବା ସଂସ୍ଥାଗୁଡ଼ିକ ପ୍ରତି ସତର୍କ ରହିବାକୁ ୨୦୨୦ ଡିସେମ୍ବର ୨୩ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଥିଲା। ଡିଜିଟାଲ୍ ଋଣ ନେବା ପୂର୍ବରୁ ସେହି ସଂସ୍ଥା ବିଷୟରେ ଭଲ ଭାବେ ବୁଝିବା ଲାଗି ପରାମର୍ଶ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରି ୧୩ରେ ରିଜର୍ଭ ବ୍ୟାଙ୍କ ଏନେଇ ଏକ ୱାର୍କିଂ କମିଟି ଗଠନ କରାଯାଇଛି। ଡିଜିଟାଲ୍ ଋଣର ପ୍ରତିଟି ଦିଗକୁ ଏହି କମିଟି ଅନୁଶୀଳନ କରି ସୁପାରିସ ପ୍ରଦାନ କରିବ।

ଭାରତରେ ଡିଜିଟାଲ୍ ଋଣ ବଜାର ଦ୍ରୁତ ଗତିରେ ବଢ଼ୁଛି। ଏହି କ୍ଷେତ୍ରରେ କ୍ୟାପିଟାଲ ଫ୍ଲୋଟ୍, ଜେଷ୍ଟ୍‌ ମନି, ଇଣ୍ଡିଫାଇ, କ୍ରେଡ୍ଏକ୍ସ, ଭାରତପେ, ଲେଣ୍ଡିଂକାର୍ଟ, ପୈସା ବଜାର ଭଳି ସଂସ୍ଥା ସକ୍ରିୟ ରହିଛନ୍ତି। ଚୀନ୍‌ର ଅନେକ ଆପ୍ ମଧ୍ୟ ଡିଜିଟାଲ୍ ଋଣ ପ୍ରଦାନ କରୁଛନ୍ତି। ଗତବର୍ଷ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍‌ର ଅନେକ ଲୋକପ୍ରିୟ ଆପ୍ ଯଥା ଟିକଟକ୍, ହେଲୋ, କାମ୍‌ସ୍କାନର ଆଦିକୁ ନିଷିଦ୍ଧ ଘୋଷଣା କରାଯାଇଥିଲା।