ନୂଆଦିଲ୍ଲୀ: ବିଶ୍ବ ପ୍ରଯୁକ୍ତି ଦୁନିଆରେ ଛଟେଇ ଧାରା ଜାରି ରହିଛି। ଚଳିତ ବର୍ଷ ଅଗଷ୍ଟରେ ୨୭ ହଜାରରୁ ଅଧିକ କର୍ମଚାରୀଙ୍କୁ ଏହାର ଶିକାର ହେବାକୁ ପଡ଼ିଛି। ବିଶେଷ କରି ଆମେରିକୀୟ କମ୍ପାନିଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଇଣ୍ଟେଲ୍, ସିସ୍କୋ, ଆଇବିଏମ୍ ଓ ଆପଲ୍ ଭଳି ସଂସ୍ଥା କର୍ମଚାରୀ ହ୍ରାସ କରିଛନ୍ତି। ଅଗଷ୍ଟରେ ୪୦ଟି କମ୍ପାନି ଛଟେଇ କରିଥିଲେ। ଫଳରେ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଛଟେଇ ହୋଇଥିବା କର୍ମଚାରୀ ସଂଖ୍ୟା ୧,୩୬,୦୦୦ରୁ ଅଧିକ ହୋଇସାରିଲାଣି। ୪୨୨ଟି କମ୍ପାନି ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି। ଇଣ୍ଟେଲ୍ ଏହାର ୧୫,୦୦୦ କର୍ମଚାରୀଙ୍କୁ ବିଦା କରିଛି ଯାହା କମ୍ପାନିର ମୋଟ୍ କର୍ମଚାରୀ ସଂଖ୍ୟାର ୧୫ ପ୍ରତିଶତ।
ଖର୍ଚ୍ଚ କାଟ ଓ ପାଣ୍ଠି ସଞ୍ଚୟ ଲାଗି କମ୍ପାନି ଏହି ପଦକ୍ଷେପ ନେଇଛି। ସିସ୍କୋ ସିଷ୍ଟମ୍ସ ୬,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଆଇବିଏମ୍ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ବିଦା କରିଛି। ବିଶେଷ କରି ଗବେଷଣା ଓ ବିକାଶ ବିଭାଗର କର୍ମଚାରୀମାନେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଜର୍ମାନୀର ଚିପ୍ କମ୍ପାନି ଇନ୍ଫିନିୟମ୍ ୧୪୦୦ କର୍ମଚାରୀଙ୍କୁ ବିଦା କରିଥିବା ବେଳେ ଗୋ ପ୍ରୋ ଏହାର ୧୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି। ଅନ୍ୟପକ୍ଷରେ ଆଇଫୋନ୍ ନିର୍ମାତା ଆପଲ୍ ୧୦୦ କର୍ମଚାରୀ, ଡେଲ୍ ଟେକ୍ନୋଲୋଜିସ୍ ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ବେଙ୍ଗାଲୁରୁର ଷ୍ଟାର୍ଟଅପ୍ ରେଶାମନ୍ଧି ଏହାର ସମସ୍ତ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ବ୍ରେଭ୍ ନାମକ ୱେବ୍ ବ୍ରାଉଜର୍ ୨୭ ଜଣ ଓ ସେୟାରଚାଟ୍ ତରଫରୁ ୪୦ ଜଣଙ୍କୁ ଛଟେଇ କରାଯାଇଛି।