୨୭ ଗୁଣା ବଢ଼ିଛି ଇଡି ଚଢ଼ଉ: ୨୦୦୪ରୁ ୨୦୧୪ ମଧ୍ୟରେ ୧୧୨, ୨୦୧୪ରୁ ୨୦୨୨ ଭିତରେ ୩୦୧୦ ଥର

ଜବତ ଅର୍ଥ କ’ଣ କରିଥାଏ ଇଡି?

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପ୍ରକାର ଚଢ଼ଉ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ ସିବିଆଇ ଚର୍ଚ୍ଚାରେ ଅଛନ୍ତି। ବ୍ୟବସାୟୀ, ରାଜନେତା ଓ ଅମଲାଙ୍କ ଠିକଣାରେ ଏହି ସଂସ୍ଥାଗୁଡ଼ିକ ଚଢ଼ଉ ଚଳାଇଛନ୍ତି। ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋଲକାତାର ଜଣେ ବ୍ୟବସାୟୀଙ୍କ ଘରୁ ୧୮ କୋଟି ଟଙ୍କାର ନଗଦ ଅର୍ଥ ଜବତ କରିଛି। ମୋବାଇଲ ଗେମିଂ ଆପ୍‌ ଠକେଇ ମାମଲାରେ ଏହି ଚଢ଼ଉ ହୋଇଛି। ସେହିଭଳି ନିକଟରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇ ପାଖାପାଖି ୨୮ କୋଟି ନଗଦ ଅର୍ଥ ଜବତ କରିଥିଲା। ତାହା ପୂର୍ବରୁ ଝାଡ଼ଖଣ୍ଡର ମନରେଗା ପାଣ୍ଠି ଜାଲିଆତି ଏବଂ ଖଣି ଦୁର୍ନୀତି ମାମଲାରେ ଆଇଏଏସ ଅଫିସର ପୂଜା ସିଂଘଲ ଓ ଅନ୍ୟମାନଙ୍କ ଏକାଧିକ ଠିକଣାରେ ଚଢ଼ଉ ହୋଇଥିଲା।

୨୦୧୪ରୁ ୨୦୨୨ ମଧ୍ୟରେ ଇଡି ମୋଟ ୩୦୧୦ଟି ଚଢ଼ଉ କରିଛି। ୨୦୦୪ରୁ ୨୦୧୪ ମଧ୍ୟରେ ହୋଇଥିବା ୧୧୨ଟି ଚଢ଼ଉ ତୁଳନାରେ ଏହା ପ୍ରାୟ ୨୭ ଗୁଣା ଅଧିକ। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଇଡି ହେପାଜତରେ ଚଢ଼ଉରୁ ମିଳିଥିବା ସଂପତ୍ତି ରାଶି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏଥିରେ ତଦନ୍ତ ଚାଲିଥିବା ମାମଲାର ଅର୍ଥ ମଧ୍ୟ ରହିଛି। ଏଥିରେ ୫୭୦୦୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ଓ ପୋଞ୍ଜି ସ୍କାମ ସଂପର୍କିତ। ଇଡି ୱେବସାଇଟ୍‌ରୁ ଏହା ଜଣାଯାଇଛି ଯେ ସେପ୍ଟେମ୍ବର ୧୧ ସୁଦ୍ଧା ଗତ ୧୭ ବର୍ଷ ମଧ୍ୟରେ ପିଏମଏଲଏରେ ୫୪୨୨ଟି ମାମଲା ରୁଜୁ ହୋଇଛି। କିନ୍ତୁ ଏଥିରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ହାର ଅତି କମ୍ ରହିଛି। କେବଳ ୨୫ ଜଣ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଜବତ ଅର୍ଥ କ’ଣ କରିଥାଏ ଇଡି?
ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ ଚଢ଼ଉ କରିବା ପରେ ଯେଉଁ ଅର୍ଥ ଜବତ କରିଥାଏ ତାହାକୁ ଏଜେନ୍ସିର କାର୍ଯ୍ୟାଳୟରେ ରଖାଯାଇଥାଏ। ଚଢ଼ଉ ପରେ ଜବତ ହୋଇଥିବା ସଂପତ୍ତିର ହିସାବ କରାଯାଇ ପଞ୍ଚନାମା ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ତାହାପରେ ସେହି ଜବତ ନଗଦ ଅର୍ଥକୁ ଇଡିର ବ୍ୟାଙ୍କ ଆକାଉଣ୍ଟରେ ରଖାଯାଇଥାଏ। ଯଦି ଅର୍ଥ କିମ୍ବା ମୂଲ୍ୟବାନ ଗହଣା ଆଦିରେ କୌଣସି ଚିହ୍ନ ରହିଥାଏ ତାହାକୁ ବନ୍ଦ ଲଫାପା ଭାବେ ରଖାଯାଇ ଇଡିର ବ୍ୟାଙ୍କ ଆକାଉଣ୍ଟ ସରକାରୀ ବ୍ୟାଙ୍କରେ ରହିଥାଏ। ଅଦାଲତରେ ପ୍ରମାଣ ଭାବେ ଉପସ୍ଥାପନ ପାଇଁ ତାହାକୁ ରଖାଯାଇଥାଏ। ଥରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ସେହି ଅର୍ଥକୁ ପିଏମଏଲଏର ଧାରା ୯ ଅନୁଯାୟୀ ଇଡି ସରକାରଙ୍କୁ ହସ୍ତାନ୍ତର କରିଥାଏ।
ବ୍ୟାଙ୍କ ଠକେଇ କ୍ଷେତ୍ରରେ ଖିଲାପୀ ବ୍ୟକ୍ତି ଋଣ ଆକାରରେ ଯେଉଁ ଅର୍ଥ ନେଇଥାଏ ତାହାକୁ ଯେଉଁ ବ୍ୟାଙ୍କରୁ ଋଣ ନିଆଯାଇଥାଏ ସେଠାକୁ ହସ୍ତାନ୍ତର କରାଯାଇଥାଏ। ନିକଟରେ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକ୍ସିଙ୍କ ବ୍ୟାଙ୍କ ଠକେଇରେ ଜବତ ହୋଇଥିବା ୮୪୪୧ କୋଟିରୁ ଅଧିକ ସଂପତ୍ତି ସରକାରୀ ବ୍ୟାଙ୍କଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା। ଇଡି ପକ୍ଷରୁ ଜବତ ହୋଇଥିବା ସଂପତ୍ତି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୩୦୦୦ କୋଟି ଟଙ୍କା ସରକାରୀ ବ୍ୟାଙ୍କଗୁଡ଼ିକୁ ଫେରସ୍ତ କରାଯାଇଛି।

ସମ୍ବନ୍ଧିତ ଖବର