ନୂଆଦିଲ୍ଲୀ: ଅବାଞ୍ଛିତ କଲ୍‌ ସମସ୍ୟାର ସମାଧାନ କରିବା ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶରେ ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବରକୁ ବ୍ଲକ୍‌ କରାଯାଇଥିବା ବେଳେ ୫୦ଟି ସଂସ୍ଥା ଉପରେ କଟକଣା ଲଗାଯାଇଛି। 

Advertisment

ଟ୍ରାଇ ପକ୍ଷରୁ କୁହାଯାଇଛି ଯେ ୨୦୨୪ର ପ୍ରଥମ ଛଅ ମାସରେ ପଞ୍ଜୀକୃତ ହୋଇନଥିବା ଟେଲିମାର୍କେଟିଂ ସଂସ୍ଥାଗୁଡ଼ିକ ବିରୋଧରେ ୭.୯ ଲକ୍ଷରୁ ଅଧିକ ଅଭିଯୋଗ ଆସିଥିଲା। ସେଭଳି ସଂସ୍ଥାର ସଂଯୋଗକୁ କାଟିବା ଓ ସେମାନଙ୍କୁ କଳାତାଲିକାଭୁକ୍ତ କରିବା ଲାଗି ଟେଲିକମ୍ କମ୍ପାନିଗୁଡ଼ିକୁ ଟ୍ରାଇ ନିର୍ଦ୍ଦେଶ ଦେଇଥିଲା। ଟେଲିକମ୍ ସମ୍ବଳକୁ ବ୍ୟବହାର କରି କରାଯାଉଥିବା ଠକେଇ ଉପରେ ରୋକ ଲଗାଇବା ଲାଗି ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ ଟେଲିକମ୍ କମ୍ପାନିଗୁଡ଼ିକ ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବରକୁ ବ୍ଲକ କରିଛନ୍ତି। ପଞ୍ଜୀକୃତ ହୋଇନଥିବା ଟେଲି ମାର୍କେଟିଂ ସଂସ୍ଥ‌ା ଧରାପଡ଼ିଲେ ସେମାନଙ୍କ ସମସ୍ତ ଟେଳିକମ୍ ସଂଯୋଗକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବିଚ୍ଛିନ୍ନ କରିବା ଓ ସେମାନଙ୍କୁ କଳାତାଲିକାଭୁକ୍ତ କରିବାକୁ କୁହାଯାଇଛି। 

ଅବାଞ୍ଛିତ କଲ୍‌ ସମସ୍ୟାକୁ ରୋକିବା ଲାଗି ଟ୍ରାଇ ପକ୍ଷରୁ ବିଭିନ୍ନ ନିୟାମକ ସଂସ୍ଥାଗୁଡ଼ିକ ସହ ମଧ୍ୟ ଆଲୋଚନା କରାଯାଉଛି। କେତେକ ନିର୍ଦ୍ଦିଷ୍ଟ ପ୍ରକାର କଲ୍ ଓ ଏସ୍‌ଏମ୍ଏସ୍‌ ପାଇଁ  ଅଧିକ ଶୁଳ୍କ ଅସୁଲ କରିବା ଲାଗି ଟ୍ରାଇ ପ୍ରସ୍ତାବ ଦେଇଛି। ଦିନକୁ ୫୦ରୁ ଅଧିକ କଲ୍‌ କରୁଥିବା କିମ୍ବା ୫୦ରୁ ଅଧିକ ଏସ୍‌ଏମ୍ଏସ୍‌ ପଠାଉଥିବା ନମ୍ବରଗୁଡ଼ିକୁ ଯାଞ୍ଚ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ସେହି କଲ୍ କିମ୍ବା ଏସ୍‌ଏମ୍ଏସ୍‌ଗୁଡ଼ିକ କେଉଁ ଧରଣ ଓ ତାହା ଅବାଞ୍ଛିତ କଲ୍‌ ବର୍ଗରେ ଆସୁଛି ନା ନାହିଁ ତାହା ଜାଣିବାକୁ ପ୍ରୟାସ କରାଯିବ।