ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିିତ୍ତୀୟ ନୀତିକୁ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଯଶୋବନ୍ତ ସିହ୍ନା ତୀବ୍ର ସମାଲୋଚନା କରିଛନ୍ତି। ଏକ ଇଂରାଜି ସମ୍ବାଦପତ୍ରରେ ଲେଖିଥିବା ନିବନ୍ଧରେ ସେ ଲେଖିଛନ୍ତି ଯେ ଅର୍ଥନୀତିର ଯେଉଁ ହୁଗୁଳା ସ୍ଥିତି ଥିଲା, ତାହା ଉପରେ ସହଜରେ ନିୟନ୍ତ୍ରଣ ହାସଲ କରାଯାଇପାରିଥାନ୍ତା। ମାତ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ କାନ୍ଧରେ ଏତେ ବୋଝ ଲଦିଦିଆଗଲା ଯେ ତାଙ୍କଠାରୁ ବହୁତ କିଛି ଆଶା କରିବା ଠିକ୍ ହେବ ନାହିଁ ବୋଲି ସେ ଲେଖିଛନ୍ତି। ନିଜ ଲେଖାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅରୁଣ ଜେଟ୍ଲି କରିଥିବା ଭୁଲଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି।
ଯଶୋବନ୍ତଙ୍କ ଏହି ଲେଖାକୁ ନେଇ ସରକାର ଅକଳରେ ପଡ଼ିଯାଇଛନ୍ତି। ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହି ଲେଖାକୁ ନେଇ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇନାହିଁ। ମାତ୍ର ବିରୋଧୀ ଦଳଗୁଡ଼ିକ ଏହି ସୁଯୋଗ ହାତ ଛଡ଼ା କରିନାହାନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଏହି ଲେଖା ଆଧାରରେ ସରକାରଙ୍କୁ ଘେରିଛନ୍ତି।
ଯଶୋବନ୍ତ ସିହ୍ନା ଲେଖିଛନ୍ତି ଯେ ୧୯୯୮ରେ ଅଟଳ ବିହାରୀ ବାଜପେୟୀ ନିଜର ଦୁଇ ନିକଟତମ ସହଯୋଗୀ ଯଶୋବନ୍ତ ସିଂହ ଏବଂ ପ୍ରମୋଦ ମହାଜନଙ୍କୁ କ୍ୟାବିନେଟ୍ରେ ସାମିଲ କରିନଥିଲେ। କାରଣ ସେମାନେ ନିର୍ବାଚନରେ ସେମାନେ ହାରିଥିଲେ। ମାତ୍ର ଅରୁଣ ଜେଟ୍ଲି ଅମୃତସର ସିଟ୍ରୁ ହାରିବା ସତ୍ତ୍ୱେ ତାଙ୍କୁ ଅର୍ଥମନ୍ତ୍ରୀ କରାଯାଇଛି। ଉଦାଦିକରଣର ପରବର୍ତି ସମୟର ସବୁଠାରୁ ଭାଗ୍ୟଶାଳୀ ଅର୍ଥମନ୍ତ୍ରୀ ହେଉଛନ୍ତି ଅରୁଣ ଜେଟ୍ଲି ବୋଲି ସେ ଲେଖିଛନ୍ତି। ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ହ୍ରାସ ରହିବା ଯୋଗୁଁ ଯେଉଁ କୋଟି କୋଟି ଟଙ୍କା ମିଳିଥିଲା ତାହାର ସଦୁପଯୋଗ କରାଯାଇନାହିଁ। ଯଦିଓ ଜେଟ୍ଲିଙ୍କୁ ଅଧାପନ୍ତରିଆ ପ୍ରକଳ୍ପ ଏବଂ ବ୍ୟାଙ୍କର ଏନ୍ପିଏ ଭଳି ସମସ୍ୟା ମିଳିଥିଲା କିନ୍ତୁ ତାହାକୁ ମଧ୍ୟ ସେ ଠିକ୍ ଭାବେ ପରିଚାଳନା କରିପାରିନାହାନ୍ତି।
ଦେଶର ଆର୍ଥିକ ସ୍ଥିତି ଉପରେ ସେ ଲେଖିଛନ୍ତି ଯେ ଘରୋଇ ନିବେଶ ପରିମାଣ ବିଗତ ଦୁଇ ଦଶନ୍ଧୀ ଭିତରେ ସବୁଠୁ ନିମ୍ନ ସ୍ତରରେ ରହିଛି। କାରଖାନାରେ ଉତ୍ପାଦନ ଠପ୍ ହୋଇଯାଇଛି। କୃଷି କ୍ଷେତ୍ର ସଙ୍କଟ ଦେଇ ଗତି କରୁଛି। ରୋଜଗାର ସୃଷ୍ଟି କରୁଥିବା ମାନୁଫାକ୍ଚରିଂ କ୍ଷେତ୍ରରେ ଏବେ ମାନ୍ଦାବସ୍ଥା। ରପ୍ତାନି କମ୍ ହୋଇଛି। ସେବା କ୍ଷେତ୍ର ମଧ୍ୟ ସଂଘର୍ଷ କରୁଛି। ଦେଶର ପ୍ରାୟ ସବୁ ପ୍ରମୁଖ କ୍ଷେତ୍ର ସଙ୍କଟ ମଧ୍ୟ ଦେଇ ଗତି କରୁଛି ବୋଲି ସେ ଲେଖିଛନ୍ତି।
ବିମୁଦ୍ରାକଣ ଏକ ବଡ଼ ଆର୍ଥିକ ସଙ୍କଟ ସାବ୍ୟସ୍ତ ହୋଇଛି। ଜିଏସ୍ଟି ଉପରେ ଠିକ୍ ଭାବେ ବିଚାର ହୋଇନାହିଁ ଏବଂ ଠିକ୍ ଭାବେ ଲାଗୁ କରାଯାଇନାହିଁ ବୋଲି ସେ ଜଣାଇଛନ୍ତି। ଅର୍ଥନୀତିରେ ବିମୁଦ୍ରାକରଣ ଏବଂ ଜିଏସ୍ଟି ବିପର୍ଯ୍ୟୟ ଆଣିଛି। ଅର୍ଥନୀତିର ଦୁର୍ଗତି ପାଇଁ ବିମୁଦ୍ରାକରଣ ଦାୟୀ ନୁହେଁ ବୋଲି ସରକାର ଯାହା କହୁଛନ୍ତି ତାହା ଠିକ୍। ଅର୍ଥନୀତି ବହୁ ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ବିମୁଦ୍ରାକରଣ ନିଆଁରେ ଘିଅ ଭଳି କାମ କରିଛି ବୋଲି ସେ ଲେଖିଛନ୍ତି।
ବିମୁଦ୍ରାକରଣ ପରେ ଇଡି ଏବଂ ସିବିଆଇକୁ ଲକ୍ଷ ଲକ୍ଷ ମାମଲା ପ୍ରଦାନ କରାଯାଇଛି। ଏହାକୁ ନେଇ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି ବୋଲି ସେ ଲେଖିଛନ୍ତି।
୨୦୧୫ରେ ସରକାର ଅଭିବୃଦ୍ଧି ଆକଳନର ପଦ୍ଧତି ବଦଳାଇ ଦେଇଥିଲେ। ନୂଆ ପଦ୍ଧତିରେ ଅଭିବୃଦ୍ଧି ହାର ୫.୭% ହୋଇଛି। ଯଦି ପୁରୁଣା ପଦ୍ଧତିରେ ହିସାବ କରାଯାଇଥାନ୍ତା ତେବେ ଅଭିବୃଦ୍ଧି ହାର ୩.୭% ହୋଇଥାନ୍ତା ବୋଲି ସେ ଲେଖିଛନ୍ତି। ଅଭିବୃଦ୍ଧି ହ୍ରାସର କାରଣ ଜାଣିବା କଠିନ ନୁହେଁ। ସରକାର ବିଭିନ୍ନ ସମୟରେ ସ୍ଥିତିକୁ ଅଧିକ ଜଟିଳ କରିବା ପାଇଁ ସୁଯୋଗ ଦେଇଛନ୍ତି। ଏକ ସୁଚିନ୍ତିତ ଚିନ୍ତାଧାରା ଜରିଆରେ ଯଦି ସରକାର ପଦକ୍ଷେପ ଗ୍ରହଣ କରିଥାନ୍ତେ ତେବେ ଏହି ଗମ୍ଭୀର ସମସ୍ୟାର ମୁକାବିଲା କରାଯାଇପାରିଥାନ୍ତା ବୋଲି ଯଶଓ୍ଵନ୍ତ ସିହ୍ନା ଲେଖିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର