ଓଡ଼ିଶାର ୨,୭୯୨ ଗାଁରେ ନାହିଁ ୪ଜି ସେବା: କନ୍ଧମାଳରେ ସର୍ବାଧିକ ୪୬୫ ଗାଁ

ଭୁବନେଶ୍ବର: ଦେଶରେ ୫ଜି ମୋବାଇଲ୍ ସେବା ଲାଗି ସ୍ପେକ୍ଟ୍ରମ୍ ନିଲାମ ଜାରି ରହିଥିବା ବେଳେ ଓଡ଼ିଶାରେ ଏବେବି ବହୁ ଗ୍ରାମ ରହିଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ୪ଜି ସେବା ପହଞ୍ଚିପାରିନାହିଁ। ରାଜ୍ୟର ୨,୭୯୨ଟି ଗ୍ରାମ ୪ଜି ସେବା ପାଇବାରୁ ବଞ୍ଚିତ ଅଛନ୍ତି। କନ୍ଧମାଳରେ ୪୬୫, କୋରାପୁଟରେ ୨୭୦, ଗଜପତିର ୨୪୦, କଳାହାଣ୍ଡିରେ ୨୦୩, ରାୟଗଡ଼ାରେ ୨୦୩, ସୁନ୍ଦରଗଡ଼ରେ ୧୯୬, ଗଞ୍ଜାମରେ ୧୯୪, ମୟୂରଭଞ୍ଜରେ ୧୬୫, ନୟାଗଡ଼ର ୧୩୦, ବୌଦ୍ଧରେ ୧୧୫, ମାଲକାନଗିରିରେ ୧୦୨, ସମ୍ବଲପୁରରେ ୮୧, କେନ୍ଦୁଝରରେ ୮୦, ଅନୁଗୁଳରେ ୫୭ ଓ ଯାଜପୁରରେ ୪୧ ଗାଁରେ ୪ଜି ସଂଯୋଗ ନାହିଁ। ଅନ୍ୟ ଜିଲ୍ଲାଗୁଡ଼ିକରେ ଅଳ୍ପ ସଂଖ୍ୟକ ଗ୍ରାମରେ ୪ଜି ସେବା ପହଞ୍ଚିନଥିବା ଜଣାପଡ଼ିଛି।

ଦେଶର ଅପହଞ୍ଚ ଅଞ୍ଚଳରେ ୪ଜି ମୋବାଇଲ୍ ସେବା ପହଞ୍ଚାଇବା ଲାଗି ପ୍ରସ୍ତୁତ କରାଯାଇଥିବା ୨୩,୩୧୭ କୋଟି ଟଙ୍କାର ପ୍ରସ୍ତାବକୁ ଗତକାଲି କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଥିଲା। ଗତ ବର୍ଷ ସରକାର ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଥିବା ୭,୨୮୭ଟି ଅପହଞ୍ଚ ଇଲାକାରେ ୪ଜି ମୋବାଇଲ ସେବା ପହଞ୍ଚାଇବା ଲାଗି ଏହି ‌ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନାରେ ଦେଶର ଉପାନ୍ତ ଏବଂ ଅପହଞ୍ଚ ଇଲାକାରେ ଥିବା ୨୪ ହଜାର ୬୮୦ଟି ଗାଁକୁ ୪ଜି ମୋବାଇଲ ସେବା ଯୋଗାଇ ଦିଆଯିବ। କେବଳ ୨ଜି/୩ଜି ମୋବାଇଲ୍ ‌ସେବା ରହିଥିବା ୬,୨୭୯ଟି ଗାଁରେ ମୋବାଇଲ ସେବାକୁ ୪ଜିକୁ ଉନ୍ନତୀକରଣ କରାଯିବ।

ସମ୍ବନ୍ଧିତ ଖବର