ଭୁବନେଶ୍ବର: ରାଜ୍ୟରେ ମୋଟ୍‌ ସରକାରୀ ଉଦ୍ୟୋଗ ସଂଖ୍ୟା ୬୪ ଥିବା ବେଳେ ସେଥିରୁ ୨୮ଟି ଉଦ୍ୟୋଗ ଅଚଳ ରହିଛି ବୋଲି ବିଧାନସଭାରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ୩୧ଟି ସରକାରୀ ଉଦ୍ୟୋଗ କାର୍ଯ୍ୟକ୍ଷମ ରହିଛି। 

Advertisment

ବିଧାୟକ ବିଜୟ କୁମାର ଦଳ‌େ‌ବହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ ଅଚଳ ରହିଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରେ ଓଡ଼ିଶା ଇଲେକ୍ଟ୍ରିକାଲ୍ ମାନୁଫାକଚରିଂ କର୍ପେରେସନ୍‌, ଗଜପତି ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଇଷ୍ଟର୍ଣ୍ଣ ଆକ୍ବାଟିକ୍ ପ୍ରଡକ୍ଟ ଲିମିଟେଡ୍‌, ପ୍ରିମିୟର ବୋଲ୍ଟସ୍‌ ଆଣ୍ଡ୍‌ ନଟ୍‌ସ ଲିମିଟେଡ୍‌, କୋଣାର୍କ ଡିଟର୍‌ଜେଣ୍ଟ ଆଣ୍ଡ୍‌ ସୋପ୍ସ ଲିମିଟେଡ୍‌, କୋଣାର୍କ ଟେଲିଭିଜନ ଲିମିଟେଡ୍‌, ଓଡ଼ିଶା ଲେଦର୍‌ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍ସ, ଓଡ଼ିଶା ଷ୍ଟେଟ୍‌ ହାଣ୍ଡଲୁମ୍ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌, ଓଡ଼ିଶା ଷ୍ଟେଟ୍‌ କମର୍ସିଆଲ୍ ଟ୍ରାନ୍ସପୋର୍ଟ କର୍ପୋରେସନ ଓ ଓଡ଼ିଶା ଫିସରିଜ୍ ଡେଭେଲମେଣ୍ଟ କର୍ପୋରେସନ ଆଦି ରହିଛି। 

ଅନ୍ୟ ଏକ ପ୍ରଶ୍ନର ଉତ୍ତ‌ରରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକବର୍ଷର ବଜେଟ୍‌ରେ ସରକାର ୩୧ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ମାତ୍ର ୪ଟି ଉଦ୍ୟୋଗର ରକ୍ଷଣାବେକ୍ଷଣ ପାଇଁ ୧୮୬.୪୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୱାଟ୍‌କୋକୁ ସର୍ବାଧିକ ୧୨୦.୬୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ଓଡ଼ିଶା ରାଜ୍ୟ ଯୋଗାଣ ନିଗମକୁ ୧୧.୭୧ କୋଟି, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ୩୨.୦୫ କୋଟି, ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପାଇଁ ୨୨ କୋଟିର ବ୍ୟବସ୍ଥା କରାଯାଇଛି। ୨୭ଟି ଉଦ୍ୟୋଗ ପାଇଁ ସରକାର ବଜେଟ୍‌ରେ କିଛି ଅର୍ଥ ରକ୍ଷଣାବେକ୍ଷଣ ପାଇଁ ଦେଇନାହାନ୍ତି। କିନ୍ତୁ ୧୫ଟି ଉଦ୍ୟୋଗ ସେମାନଙ୍କ ନିଜସ୍ବ ବଜେଟ୍‌ରୁ ରକ୍ଷଣାବେକ୍ଷଣ ବାବଦରେ ଅର୍ଥ ପ୍ରାବଧାନ କରିଛନ୍ତି। ସେଥିରୁ ଓଡ଼ିଶା କୃଷି ଶିଳ୍ପ ନିଗମ ୫ ଲକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ ୨୩ ଲକ୍ଷ, ଓଡ଼ିଶା କାଜୁ ଉନ୍ନୟନ ନିଗମ ୭ କୋଟି, ଓଡ଼ିଶା ବନ ଉନ୍ନୟନ ନିଗମ ୪ ଲକ୍ଷ, ଓଡ଼ିଶା ଖଣି ନିଗମ ୧୯୪.୩୦ କୋଟି, ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ୧.୨୦ କୋଟି, ଓଡ଼ିଶା ପର୍ଯ୍ୟଟନ ନିଗମ ୧.୮୦ କୋଟି, ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ୫୬୨ କୋଟି, ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ ୧୯୩ କୋଟି, ଗ୍ରିଡ୍‌କୋ ୯୮ ଲକ୍ଷ, ଓଡ଼ିଶା ଶକ୍ତି ସଂଚାରଣ ନିଗମ ୧୫୧.୬୨ କୋଟି ଟଙ୍କା ରକ୍ଷଣାବେକ୍ଷଣ ବାବଦରେ ରଖିଛନ୍ତି।

ସେହିଭଳି ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ୫୦ ଲକ୍ଷ, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ୬୪.୪୪ କୋଟି, ଓଡ଼ିଶା ରାଜ୍ୟ ଔଷଧ ନିଗମ ୨୬ ଲକ୍ଷ, ଓଡ଼ିଶା କୋଇଲା ଓ ଶକ୍ତି ଲିମିଟେଡ ୪୫ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣ ବାବଦରେ ରଖିଛନ୍ତି। ୧୨ଟି ଉଦ୍ୟୋଗର ରକ୍ଷଣାବେକ୍ଷଣ ବାବଦରେ ଟଙ୍କାଟିଏ ଅର୍ଥ ବ୍ୟବସ୍ଥା ହୋଇନାହିଁ। ନା ସରକାର ସେମାନଙ୍କ ପାଇଁ କିଛି ବଜେଟ୍‌‌ରେ ପ୍ରଦାନ କରିଛନ୍ତି ନା ନିଗମ ନିଜ ବଜେଟ୍‌ରୁ କିଛି ବ୍ୟବସ୍ଥା କରିଛି। ସେହି ଉଦ୍ୟୋଗଗୁଡ଼ିକ ହେଲା ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିମିଟେଡ, ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ, ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ , ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ , ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ , କଳିଙ୍ଗ ଷ୍ଟୁଡିଓଜ୍‌ ଲିମିଟେଡ, ଓଡ଼ିଶା ଉଠା ଜଳ‌ସେଚନ ନିଗମ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ପାନୀୟ ନିଗମ, ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଓ ଜେଡକୋଲ୍‌।