୨୮% ଜିଏସ୍‌ଟିରେ ଏବେ ୩୫ ସାମଗ୍ରୀ

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦର ୨୮ତମ ବୈଠକରେ ଗତକାଲି ପ୍ରାୟ ଶହେଟି ସାମଗ୍ରୀର ଟିକସକୁ ହ୍ରାସ କରାଯାଇଛି। ଏସବୁ ସାମଗ୍ରୀର ଟିକସ ହ୍ରାସ ଆସନ୍ତା ୨୭ ତାରିଖରୁ କାର୍ଯ୍ୟକାରୀ କରାଯିବ। ଫଳରେ ଏବେ ୨୮ ପ୍ରତିଶତ ଟିକସ ବର୍ଗରେ ଏସି, ଡିଜିଟାଲ କ୍ୟାମେରା, ସିମେଣ୍ଟ, ଅଟୋମୋବାଇଲ ପାର୍ଟସ, ଟାୟାର, ମୋଟର ଯାନ, ବିଳାସପୂର୍ଣ୍ଣ ନୌକା, ଏରେଟେଡ ଡ୍ରିଙ୍କସ୍‌, ତମାଖୁ ଏବଂ ସିଗାରେଟ ଭଳି ୩୫ଟି ସାମଗ୍ରୀ ରହିଛି। ୨୮ ପ୍ରତିଶତ ଟିକସ ବର୍ଗରେ ଥିବା ସାମଗ୍ରୀ ମଧ୍ୟରୁ ୧୯୧ଟି ସାମଗ୍ରୀର ଟିକସକୁ ଜିଏସ୍‌ଟି ପରିଷଦ ଗତ ବର୍ଷକ ମଧ୍ୟରେ ହ୍ରାସ କରିଛି। ୨୦୧୭ ଜୁଲାଇ ପହିଲାରେ ଜିଏସ୍‌ଟି ଆରମ୍ଭ ହେବା ସମୟରେ ସର୍ବୋଚ୍ଚ ଟିକସ ବା ୨୮ ପ୍ରତିଶତ ଟିକସ ବର୍ଗରେ ପ୍ରାୟ ୨୨୬ଟି ସାମଗ୍ରୀ ରହିଥିଲା। ଆଗାମୀ ଦିନରେ ଟିକସ ଆଦାୟ ରାଜସ୍ୱରେ ସ୍ଥିରତା ଆସିଲେ ଏହି ଟିକସ ବର୍ଗରେ ଥିବା ସାମଗ୍ରୀ ସଂଖ୍ୟାକୁ ଆହୁରି ହ୍ରାସ କରାଯାଇ ପାରେ। ଏହି ଟିକସ ବର୍ଗରେ କେବଳ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ସାମଗ୍ରୀକୁ ରଖିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

‘ଜିଏସ୍‌ଟି ହାର ୩କୁ କମିବ’
ନୂଆଦିଲ୍ଲୀ: ଆଗାମୀ ଦିନରେ ଜିଏସ୍‌ଟି ସ୍ଲାବ ସଂଖ୍ୟା ୫ରୁ ୩କୁ ହ୍ରାସ କରାଯିବ। ଖାଉଟି ଏବଂ ଉଦ୍ୟୋଗୀଙ୍କ ସୁବିଧାକୁ ଧ୍ୟାନରେ ରଖି ଏହା କରାଯିବାର ଯୋଜନା ରହିଛି। ତବେ ଏଥିପାଇଁ କିଛି ସମୟ ଲାଗିବ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏକ ସାକ୍ଷାତକାର ଦେବା ସମୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଜିଏସ୍‌ଟିର ୫ଟି ସ୍ଲାବ ବା ହାର ରହିଛି। ସେଗୁଡ଼ିକ ହେଲା ୦, ୫, ୧୨, ୧୮ ଏବଂ ୨୮ ପ୍ରତିଶତ। ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ଉଠାଇଥିବା ପ୍ରଶ୍ନ ୨୦୧୭ରେ କାହିଁକି ୮୮ଟି ସାମଗ୍ରୀ ଉପରୁ ଟିକସ ହ୍ରାସ କରାଗଲା ନାହିଁ ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି ଏହି ନିଷ୍ପତ୍ତି କେବଳ ବିଜେପି ସରକାରର ନୁହେଁ। ଜିଏସ୍‌ଟି ପରିଷଦ ଏହି ନିଷ୍ପତ୍ତି ନେଇଛି। ଜିଏସ୍‌ଟି ପରିଷଦରେ କଂଗ୍ରେସ ଶାସିତ ରାଜ୍ୟର ଅର୍ଥମନ୍ତ୍ରୀମାନେ ମଧ୍ୟ ସଦସ୍ୟ ରହିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର