ନୂଆଦିଲ୍ଲୀ: ଶିଶୁ ଯାତ୍ରୀଙ୍କ ନିୟମରେ ରେଳବାଇ ପରିବର୍ତ୍ତନ କରି ବେଶ ମୋଟା ଅଙ୍କର ଆୟ କରୁଛି। ଗତ ୭ ବର୍ଷରେ ଶିଶୁ ଯାତ୍ରୀଙ୍କୁ ଟିକଟ ବିକ୍ରି କରି ରେଳବାଇ ୨୮୦୦ କୋଟି ଟଙ୍କା ଆୟ କରିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇ ଶିଶୁ ଯାତ୍ରୀଙ୍କ ପାଇଁ ରେକର୍ଡ ୫୬୦ କୋଟି ଟଙ୍କା ଆୟ କରିଛି।୨୦୧୬ ମାର୍ଚ୍ଚରେ ରେଳ ମନ୍ତ୍ରାଳୟ ପକ୍ଷରୁ ଶିଶୁଙ୍କ ଟିକଟ ନିୟମରେ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ୫-୧୨ ବର୍ଷ ବୟସର ପିଲାମାନେ ଟିକଟର ଅଧା ଦାମ୍‌ରେ ସେମାନଙ୍କ ସହ ଯାତ୍ରା କରୁଥିବା ବୟସ୍କ ଲୋକଙ୍କ ସହିତ ଟ୍ରେନ୍‌ରେ ଯାଇପାରୁଥିଲେ। କିନ୍ତୁ ସେମାନଙ୍କୁ ସ୍ବତନ୍ତ୍ର ବର୍ଥ କିମ୍ବା ସିଟ୍‌ ମିଳୁନଥିଲା। ୨୦୧୬ରେ ନିୟମକୁ ବଦଳାଇବା ସହ ସେହି ବର୍ଗର ଶିଶୁମାନଙ୍କ ଲାଗି ବର୍ଥ କିମ୍ବା ସିଟ୍‌ର ବ୍ୟବସ୍ଥା କଲେ ଟିକଟର ପୂରା ମୂଲ୍ୟ ଦେବାକୁ ପଡ଼ିବ ବୋଲି ବ୍ୟବସ୍ଥା କରାଗଲା। ଯେଉଁମାନେ ଶିଶୁଙ୍କ ଲାଗି ଟିକଟର ଅଧା ମୂଲ୍ୟ ଦେଉଛନ୍ତି ସେମାନଙ୍କୁ ବର୍ଥ ମିଳୁନାହିଁ। ପୂରା ଟିକଟ ଦାମ୍ ଦେଉଥିବା ପିଲାଙ୍କୁ ବର୍ଥ ମିଳୁଛି।

Advertisment

୨୦୧୬-୧୭ରୁ ୨୦୨୨-୨୩‌ ମଧ୍ୟରେ ୧୦ କୋଟିରୁ ଅଧିକ ଶିଶୁ ଟିକଟର ପୂରା ଦାମ୍ ଦେଇ ଯାତ୍ରା କରିଥିବା ବେଳେ ୩.୬ କୋଟି ଶିଶୁ ଟିକଟର ଅଧା ମୂଲ୍ୟ ଦେଇ ଯାତ୍ରା କରିଛନ୍ତି। ପ୍ରାୟ ୭୦ ପ୍ରତିଶତ ଶିଶୁ ଯାତ୍ରୀଙ୍କ ପାଇଁ ଟିକଟର ପୂରା ଦାମ୍ ଦିଆଯାଇଛି। ଶିଶୁଙ୍କୁ ନେଇ ଲମ୍ବା ଦୂର ଯାତ୍ରା କରିବା ବେଳେ ବିନା ବର୍ଥରେ ଉଭୟ ଅଭିଭାବକ ଓ ଶିଶୁ ହଇରାଣ ହୋଇଥାନ୍ତି। ଗୋଟିଏ ବର୍ଥରେ ଅସୁବିଧା ଭୋଗିବାକୁ ପଡ଼ିଥାଏ। ଶିଶୁ ଯାତ୍ରୀଙ୍କ ପାଇଁ ରହିଥିବା ନିୟମ ବଦଳିବା ପରେ ରେଳବାଇ ପାଇଁ ତାହା ଲାଭଦାୟକ ହୋଇଛି। କୋଭିଡ୍ ମହାମାରୀ ବର୍ଷ ୨୦୨୦-୨୧ରେ ଶିଶୁ ଯାତ୍ରୀଙ୍କଠାରୁ ‌ରେଳବାଇ ୧୫୭ କୋଟି ଟଙ୍କା ଆୟ କରିଥିଲା।