୨୦ ଖଣି ନିଲାମ ଦସ୍ତାବିଜ୍‌ ଖୋଲା ହେଲା, ଦୌଡ଼ରେ ୨୮୨ କମ୍ପାନି

ଭୁବନେଶ୍ବର: ଗତମାସରେ ନିଲାମ ଡକାଯାଇଥିବା ୨୦ଟି ଖଣି ପାଇଁ ଆବେଦନର ଶେଷ ତାରିଖ ଗତକାଲି ଥିଲା। ଗତକାଲି ଆବେଦନ କରିବା ସମୟସୀମା ଶେଷ ହେବା ପରେ ଆଜି ସେଗୁଡ଼ିକ ଖୋଲାଯାଇଛି। ୨୦ଟି ଖଣି ନିଲାମ ଦୌଡ଼ରେ ପ୍ରାୟ ୨୮୨ କମ୍ପାନି ରହିଛନ୍ତି ବୋଲି ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଅଧିକାରୀଙ୍କ କହିବାନୁଯାୟୀ ଆବେଦନ କରିଥିବା କମ୍ପାନି ଗୁଡ଼ିକର ଦସ୍ତାବିଜ୍ ଆଜି ଖୋଲାଯାଇଛି। ଏହାର ଯାଞ୍ଚ ପ୍ରକ୍ରିୟା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ଏହାପରେ କେଉଁ କମ୍ପାନି ପାଇଁ କେତେ ସଂସ୍ଥା ଆବେଦନ କରିଛନ୍ତି ତାହା ଜଣାପଡ଼ିବ। ନିଲାମ ହେବାକୁ ଥିବା ଖଣି ଗୁଡ଼ିକର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବ। ତେଣୁ ଏସବୁ ଖଣିର ନିଲାମ ପୂର୍ବରୁ ଡକାଯାଇଥିଲା। ସେଥିରେ ୧୭୭ଟି କମ୍ପାନି ଭାଗ ନେଇଥିଲେ। କିନ୍ତୁ କେତେକ କାରଣ ଯୋଗୁ ନିଲାମକୁ ବାତିଲ କରି ଦିଆଯାଇଥିଲା। ଏହାପରେ ଗତ ଡିସେମ୍ବର ୬ ତାରିଖରେ ପୁନର୍ବାର ନିଲାମ ଡକାଯାଇଥିଲା। ନିଲାମ ଡକା ଯାଇଥିବା ୨୦ଟି ଖଣି ମଧ୍ୟରୁ ୧୨ଟି ଲୁହାପଥର ଖଣି ଥିବାବେଳେ ୨ଟି ମାଙ୍ଗାନିଜ୍ ଏବଂ ଲୁହାପଥର ଓ ମାଙ୍ଗାନିଜ୍ ମହଜୁଦ୍‌ ଥିବା ୬ଟି ଖଣି ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଏମଇସିଏଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଥିଲେ, ଶନିବାର ବିଡ୍ ଗୁଡ଼ିକ ଖୋଲିବା ପରେ କେତେ ସଂସ୍ଥା ଆବେଦନ କରିଛନ୍ତି ତାହା ଜଣାପଡ଼ିବ। ଏହା ପରେ ବୈଷୟିକ ବିଡ୍ ଗୁଡ଼ିକୁ ଅନୁଧ୍ୟାନ କରାଯାଇ ଖଣି ଆବଣ୍ଟନ କରାଯିବ। ଏତଦବ୍ୟତୀତ ନିଲାମ ବାତିଲ ହୋଇଥିବା ଆଉ ୯ଟି ଖଣିର ନିଲାମ ଆସନ୍ତା ମାର୍ଚ୍ଚ ମାସରେ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର

Comments are closed.