ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ ୨୯ କିମି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରାଯାଇଛି। ଏହା ୨୦୨୩-୨୪ରେ ଦୈନିକ ନିର୍ମାଣ ହୋଇଥିବା ୩୪ କିମ ଏନ୍‌ଏଚ୍‌ ତୁଳନାରେ ୫ କିମି ଏବଂ ୨୦୨୦-୨୧ରେ ନିର୍ମାଣ ହୋଇଥିବା ୩୭ କିମି ଏନ୍‌ଏଚ୍‌ ତୁଳନାରେ ୮ କିମି କମ୍। ସଂସଦରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଦେଇଥିବା ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷରେ ୧୦,୬୬୦ କିମି ନୂଆ ଏନ୍‌ଏଚ୍‌ ନିର୍ମାଣ କରାଯାଇଥିଲା। ଏହା ପୂର୍ବରୁ କିନ୍ତୁ ୨୦୨୨-୨୩ରେ ୧୦, ୩୩୧ କିମି ଓ ୨୦୨୩-୨୪ରେ ୧୨,୩୪୯ କିମି ଏନ୍‌ଏଚ୍‌ ତିଆରି କରାଯାଇଥିଲା। ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ ହାଇସ୍ପିଡ୍ କରିଡର୍‌, ଏକ୍ସପ୍ରେସ୍‌ୱେଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଆଧାରରେ ବିକାଶ କରାଯାଉଛି।

Advertisment

ସେ ଜଣାଇଛନ୍ତି ଯେ ଭାରତମାଳା ପରିଯୋଜନା ଅଧୀନରେ ୨୬,୪୨୫ କିମି ସଡ଼କ ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ସେଥରୁ ୨୦,୭୭୦ କିମିର ନିର୍ମାଣ କାମ ଶେଷ ହୋଇଛି। ୨୦୨୪-୨୫ରେ ସେଥିରୁ ୨୯୬୭ କିମି ରାସ୍ତା ତିଆରି ହୋଇଥିଲା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୭୫୦୦ କିଲୋମିଟରର ୨୬ଟି ହାଇସ୍ପିଡ୍‌ କରିଡର୍‌ ପାଇଁ କାର୍ଯ୍ୟବରାଦ ଦିଆଯାଇଛି। ଏଥି ସହିତ ଆଉ ୬୦୦ କିମିର ପ୍ରକଳ୍ପ ମଞ୍ଜୁର ମଧ୍ୟ ହୋଇଛି। ଯେଉଁ ୪୮୦୦ କିମି ରାସ୍ତା ତିଆରି କରାଯାଇଛି, ସେଥିରୁ ୨୬୩୬ କିମି ସଡ଼କ କାର୍ଯ୍ୟକ୍ଷମ ହୋଇଛି। ଅବଶି‌ଷ୍ଟ ସେକ୍ସନଗୁଡ଼ିକୁ ଆସନ୍ତା ଦୁଇ ବର୍ଷରେ ସମ୍ପୂର୍ଣ୍ଣ କରିବା ଯୋଜନା ରହିଛି।