କରୋନା ମହାମାରୀ ପ୍ରଭାବ : ସଂକଟରେ ଭାରତୀୟ ବିମାନସେବା, ବିପଦରେ ୨୯ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ୱର ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବାର ଆଶଙ୍କା ଦେଖାଦେଇଛି । ବିଭିନ୍ନ ଶିଳ୍ପ ଏହି ମହାମାରୀ ଦ୍ବାରା ଗୁରୁତରଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । କିନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା କ୍ଷେତ୍ର ହେଉଛନ୍ତି ବିମାନ ଚଳାଚଳ, ହୋଟେଲ, ପର୍ଯ୍ୟଟନ ଆଦି । ଭାରତୀୟ ବିମାନ ସେବା ଶିଳ୍ପରେ ପ୍ରାୟ ୨୯ ଲକ୍ଷ ୩୨ ହଜାର ନିଯୁକ୍ତି ଉପରେ ବିପଦ ଘନେଇ ଆସୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଗଠନ (ଆଇଏଟିଏ) ପକ୍ଷରୁ ଅଟକଳ କରାଯାଇଛି ।

ଲକଡାଉନ ଯୋଗୁଁ ଭାରତରେ ବିମାନ ସେବା ଆସନ୍ତା ମେ ୩ ପର୍ଯ୍ୟନ୍ତ ବନ୍ଦ ରହିଛି । କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଦେଶରେ ଏୟାର ଟ୍ରାଫିକ ପ୍ରାୟ ୪୭ ପ୍ରତିଶତ ହ୍ରାସ ପାଇଛି । ଏହା ଫଳରେ ବିମାନସେବା କମ୍ପାନିମାନଙ୍କ କ୍ଷତି ବଢିଚାଲିଛି । କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ଅର୍ଥ ନାହିଁ ।

କିଛିଦିନ ତଳେ ଜାତିସଂଘ ଅଧିନସ୍ଥ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରାୟ ୨ କୋଟି ୫୦ ଲକ୍ଷ ଲୋକ ପ୍ରତ୍ୟକ୍ଷଭାବେ ନିଯୁକ୍ତି ହରାଇବେ । ଏତେ ସଂଖ୍ୟାରେ ଛଟେଇ ବିଶ୍ୱ ପାଇଁ ଗୁରୁତର ମାନବୀୟ ପରିସ୍ଥିତି ସୃଷ୍ଟି କରିବ । କେବଳ ଏତିକି ନୁହେଁ ବିଶ୍ୱରେ ବେରୋଜଗାରଙ୍କ ସଂଖ୍ୟା ବଢିଚାଲିବ ।

ସମ୍ବନ୍ଧିତ ଖବର