ଦିନକରେ ନିବେଶକଙ୍କ ୨ ଲକ୍ଷ କୋଟି ଲାଭ

ମୁମ୍ବାଇ: ସରକାରଙ୍କ ପକ୍ଷରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ସହାୟତା ଯୋଗାଇ ଦେବା ଘୋଷଣା ନିବେଶକମାନଙ୍କୁ ବହୁତ ଖୁସି କରିଛି। ଏହାର ପ୍ରଭାବରେ ଆଜି ନିବେଶକମାନେ ବ୍ୟାଙ୍କଗୁଡ଼ିକ ସେୟାର ଅଧିକ ମାତ୍ରାରେ ଖରିଦ କରିଛନ୍ତି। ଫଳରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୪୩୫ ପଏଣ୍ଟ୍‌ ବୃଦ୍ଧି ସହିତ ୩୩,୦୪୨ ପଏଣ୍ଟରେ ବନ୍ଦ ହୋଇଛି। ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୮୭ ପଏଣ୍ଟ୍‌ ବୃଦ୍ଧି ସହିତ ୧୦,୨୯୫ ପଏଣ୍ଟରେ ବନ୍ଦ ହୋଇଛି।

କେବଳ ଆଜି ନିବେଶକମାନଙ୍କ ସମ୍ପତ୍ତିରେ ୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ ମୂଲ୍ୟ ଗତକାଲି ସୁଦ୍ଧା ୧,୩୦,୮୩,୦୧୪ କୋଟି ଟଙ୍କା ଥିଲା। ଆଜି ତାହା ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇ ୧,୪୧,୭୯,୬୪୪ କୋଟି ଟଙ୍କାରେ ପହଞ୍ଚିଛି। ଗତକାଲି କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକ ନିମନ୍ତେ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପାଣ୍ଠି ସହାୟତା ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲେ। ଆଜି ଷ୍ଟକ ବଜାରରେ କାରବାର ବେଳେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏବଂ ଅନ୍ୟ ଚାରିଟି ବ୍ୟାଙ୍କ ଅଧିକ ଲାଭବାନ ହୋଇଛନ୍ତି। କେବଳ ଏହି ପାଞ୍ଚଟି ବ୍ୟାଙ୍କ ନିଜ ସମ୍ପତ୍ତିରେ ୭୦,୦୦୦ କୋଟି ଟଙ୍କା ଯୋଗ କରିଛନ୍ତି।

ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କର ସେୟାର ମୂଲ୍ୟରେ ସର୍ବାଧିକ ୪୬.୨୦%ର ବୃଧି ହୋଇଛି। ଏସ୍‌ବିଆଇ ସେୟାର ମୂଲ୍ୟ ୨୭.୫୮%, ବ୍ୟାଙ୍କ ଅଫ୍‌ ବରୋଦାର ୩୧.୪୭% ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସେୟାର ମୂଲ୍ୟରେ ୩୩.୯୬%ର ବୃଦ୍ଧି ହୋଇଛି। କାନାରା ବ୍ୟାଙ୍କ ସେୟାର ମୂଲ୍ୟ ମଧ୍ୟ ୩୮.୦୫% ବଢ଼ିଛି। ଏସ୍‌ବିଆଇର ବଜାର ପୁଞ୍ଜି ପରିମାଣ କେବଳ ଆଜିର ଦିନରେ ୬୦,୫୯୭ କୋଟି ଟଙ୍କା ବଢ଼ିଛି। ଫଳରେ ଷ୍ଟକ ବଜାରରେ ଏସ୍‌ବିଆଇର ମୂଲ୍ୟ ୨ ଲକ୍ଷ ୮୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଆଜି ବ୍ୟାଙ୍କ ଅଫ୍‌ ବରୋଦା ୧୦,୩୮୦ କୋଟି ଟଙ୍କା, ପିଏନ୍‌ବି ୪୨,୯୬୩ କୋଟି ଟଙ୍କା, କାନାରା ବ୍ୟାଙ୍କ ୭୨୦୯ କୋଟି ଟଙ୍କା ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ମୋଟ ବଜାର ପୁଞ୍ଜିରେ ୫୬୫୦ କୋଟି ଟଙ୍କା ଯୋଗ କରିଛି।

ସମ୍ବନ୍ଧିତ ଖବର