ନୂଆଦିଲ୍ଲୀ: ଜାଣିଶୁଣି ଗାଡ଼ିର ସାମ୍ନା ୱିଣ୍ଡସିଲ୍ଡରେ ଫାସ୍‌ଟ୍ୟାଗ୍‌ ଲଗାଉନଥିବା ଲୋକମାନଙ୍କୁ ଅବହେଳା ମହଙ୍ଗା ପଡ଼ିବ। ସେଭଳି ଗାଡ଼ି ଚାଳକଙ୍କଠାରୁ ଦୁଇ ଗୁଣା ଅଧିକ ଫି’ ଆଦାୟ କରାଯିବ। ଏନେଇ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏକ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଗାଡ଼ି ସାମ୍ନା କାଚର ଭିତର ପାର୍ଶ୍ବରେ ଫାସ୍‌ଟ୍ୟାଗ୍‌କୁ ଲଗାଇବା ବ୍ୟବସ୍ଥା ରହିଛି। କିନ୍ତୁ କିଛି ଚାଳକ ତାହା ଲଗାଉନଥିବାରୁ ଟୋଲ୍ ଗେଟ୍‌ରେ ଗାଡ଼ି ଚଳାଚଳ ଅଯଥାରେ ବିଳମ୍ବ ହେଉଛି ଏବଂ ତାହା ଅନ୍ୟମାନଙ୍କ ଲାଗି ଅସୁବିଧା ସୃଷ୍ଟି କରୁଛି। ୟୁଜର ଫି’ ସଂଗ୍ରହ କରୁଥିବା ଏଜେନ୍ସିମାନଙ୍କ ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର୍‌ (ଏସ୍‌ଓପି) ଜାରି କରାଯାଇଛି।

Advertisment

ଫାସ୍‌ଟ୍ୟାଗ୍‌ ନଥିବା ଗାଡ଼ିରୁ ଦୁଇ ଗୁଣା ଶୁଳ୍କ ସଂଗ୍ରହ କରିବାକୁ ସେମାନଙ୍କୁ କୁହାଯାଇଛି। ୟୁଜର ଫି’ ସଂଗ୍ରହ କରାଯାଉଥିବା ସବୁ ଟୋଲ୍ ପ୍ଲାଜାରେ ଏ ସମ୍ପର୍କିତ ସୂଚନା ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବାକୁ ସେମାନଙ୍କୁ କୁହାଯାଇଛି। ଗାଡ଼ିର ସାମ୍ନା କାଚରେ ଫାସ୍‌ଟ୍ୟାଗ୍‌ ଲାଗିନଥିଲେ ଜରିମାନା ଗଣିବାକୁ ପଡ଼ିପାରେ ବୋଲି ଲୋକମାନଙ୍କୁ ଜଣାଇବାକୁ ସେମାନଙ୍କୁ କୁହାଯାଇଛି। ଫାସଟ୍ୟାଗ୍‌ ଲାଗିନଥିବା ଗାଡ଼ିର ସିସିଟିଭି ଫୁଟେଜ୍ ରେକର୍ଡିଂ କରିବାକୁ ମଧ୍ୟ ଏଜେନ୍ସିମାନଙ୍କୁ କୁହାଯାଇଛି।