ଭୁବନେଶ୍ବର: ମୋବାଇଲ୍‌ ଫୋନ୍ ଲୋକମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଥିବା ବେଳେ ଓଡ଼ିଶା ଭଳି ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ଭିତରୁ ପାଖାପାଖି ୭୬ ଜଣଙ୍କ ପାଖରେ ଏହି ସୁବିଧା ରହିଛି। ଏବେବି ବହୁ ଲୋକଙ୍କ ପାଖରେ ମୋବାଇଲ୍ ପହଞ୍ଚି ପାରିନାହିଁ। ସେଥିପାଇଁ ରାଜ୍ୟରେ ନୂଆ ଗ୍ରାହକ ସୃଷ୍ଟି ହେବାର ବିଶେଷ ସୁଯୋଗ ରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି ସୂଚନା ଅନୁସାରେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୨ ଲକ୍ଷ ୬୫ ହଜାରରୁ ଅଧିକ ରହିଛି। ୨୦୨୩ ‌ନଭେମ୍ବରରେ ରାଜ୍ୟରେ ୩ କୋଟି ୩୧ ଲକ୍ଷରୁ ଅଧିକ ମୋବାଇଲ୍ ସଂଯୋଗ ଥିଲା। ଡିସେମ୍ବରରେ ୧ ଲକ୍ଷ ୧୫ ହଜାରରୁ ଅଧିକ ନୂଆ ମୋବାଇଲ୍‌ ସଂଯୋଗ ସୃଷ୍ଟି ହୋଇଛି।

Advertisment

ରାଜ୍ୟରେ ଚାରିଟି ସଂସ୍ଥା ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍, ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଓ ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ ମୋବାଇଲ୍‌ ସେବା ପ୍ରଦାନ କରୁଛନ୍ତି। ଟ୍ରାଇ ତଥ୍ୟ ଅନୁସାରେ ଓଡ଼ିଶାରେ ଜିଓର ସର୍ବାଧିକ ୧ କୋଟି ୪୮ ଲକ୍ଷ ୫୧ ହଜାର ୪୪୧ ମୋବାଇଲ୍‌ ଗ୍ରାହକ ରହିଛନ୍ତି। ଗତ ଡିସେମ୍ବରରେ କମ୍ପାନି ୧ ଲକ୍ଷ ୪୦ ହଜାର ୪୪୩ ନୂଆ ମୋବାଇଲ୍‌ ସଂଯୋଗ ପ୍ରଦାନ କରିଛି। ଭାରତୀ ଏୟାରଟେଲ୍‌ର ରାଜ୍ୟରେ ୧ କୋଟି ୧୪ ଲକ୍ଷ ୬୨ ହଜାର ୭୭୫ ମୋବାଇଲ୍ ଗ୍ରାହକ ରହିଛନ୍ତି। ଡିସେମ୍ବରରେ କମ୍ପାନି ୨୫୨୨ ଜଣ ନୂଆ ଗ୍ରାହକ ଯୋଡ଼ିଛି। ସରକାରୀ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ର ରାଜ୍ୟରେ ୫୪ ଲକ୍ଷ ୫୦ ହଜାର ୧୫୨ ମୋବାଇଲ୍ ଗ୍ରାହକ ରହିଛନ୍ତି। ଡିସେମ୍ବରରେ କମ୍ପାନି ୨୪୭୯ ଗ୍ରାହକଙ୍କୁ ହରାଇଛି। ଅନ୍ୟତମ ଘରୋଇ କମ୍ପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ର ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୫ ଲକ୍ଷରୁ ସାମାନ୍ୟ ଅଧିକ ରହିଛି। ଗତ ଡିସେମ୍ବରରେ ଏହି କମ୍ପାନି ୨୫ ହଜାର ୪୫୦ ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛି।

ସର୍ବଭାରତୀୟ ସ୍ତରରେ ରିଲାଏନ୍ସ ଜିଓ ୩୯ ଲକ୍ଷ ୯୦ ହଜାରରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି କରିଥିବା ବେଳେ ଏୟାରଟେଲ୍‌ ୧୮ ଲକ୍ଷ ୫୦ ହଜାର ଗ୍ରାହକ ‌ଯୋଡ଼ିଛି। ଅନ୍ୟ ପକ୍ଷରେ ଭୋଡାଫୋନ୍ ଆଇଡିଆ ୧୩ ଲକ୍ଷ ୬୦ ହଜାର ଗ୍ରାହକଙ୍କୁ ହରାଇଛି। ବିଏସ୍‌ଏନ୍‌ଏଲ୍‌ ୧.୫ ଲକ୍ଷ ଓ ଏମ୍‌ଟିଏନ୍‌ଏଲ୍‌ ୪୪୨୦ ଗ୍ରାହକଙ୍କୁ ହରାଇଛନ୍ତି। ୨୦୨୩ ଡିସେମ୍ବରରେ ସାରା ଦେଶରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୩ ଲକ୍ଷ ୨୦ ହଜାର ବୃଦ୍ଧି ଘଟିଛି। ଫଳରେ ମୋବାଇଲ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧୧୫ କୋଟି ୮୦ ଲକ୍ଷରୁ ଅଧିକ ହୋଇଛି। ଦେଶର ୩୯.୬୯ ପ୍ରତିଶତ ମୋବାଇଲ୍‌ ଗ୍ରାହକ ଜିଓ ପାଖରେ ଥିବା ବେଳେ ଏୟାରଟେଲ୍‌ରେ ୩୨.୯୫ ପ୍ରତିଶତ, ଭୋଡାଫୋନ୍ ଆଇଡିଆ ପାଖରେ ୧୯.୨୫ ପ୍ରତିଶତ ଏବଂ ବିଏସ୍‌ଏନ୍‌ଏଲ୍‌ ପାଖରେ ୭.୯୪ ପ୍ରତିଶତ ଗ୍ରାହକ ରହିଛନ୍ତି। ଟ୍ରାଇ ତଥ୍ୟ ଅନୁସାରେ ଦେଶରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୮୩ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ରହିଛି। କିନ୍ତୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ତୁଳନା କଲେ ଗ୍ରାମାଞ୍ଚଳ ବହୁ ପଛରେ ଥିବା ଜଣାପଡ଼ିଛି। ସହରାଞ୍ଚଳରେ ଯେତିକି ଲୋକ ବାସ କରୁଛନ୍ତି ସେମାନଙ୍କଠାରୁ ମୋବାଇଲ୍‌ ସଂଯୋଗ ସଂଖ୍ୟା ଅଧିକ। ସେଥିପାଇଁ ସହରାଞ୍ଚଳ ଟେଲି ସାନ୍ଦ୍ରତା ୧୨୭.୮୮ ପ୍ରତିଶତ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ ପାଖାପାଖି ଲୋକଙ୍କ ପାଖ‌ରେ ମୋବାଇଲ୍‌ ସଂଯୋଗ ନାହିଁ। ଗ୍ରାମାଞ୍ଚଳର ଟେଲି ସାନ୍ଦ୍ରତା ୫୮.୨୬ ପ୍ରତିଶତ ରହିଛି।