ଭୁବନେଶ୍ବର: ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ୩ କୋଟି ୩୧ ଲକ୍ଷରୁ ଅଧିକ ମୋବାଇଲ୍ ସଂଯୋଗ ରହିଛି। ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରେ ପ୍ରାୟ ୭୬ଟି ମୋବାଇଲ୍ ସଂଯୋଗ ରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୨ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୧ ଲକ୍ଷ ୩୭ ହଜାର ୨୭୦କୁ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବରରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୦ ଲକ୍ଷ ୬୯ ହଜାର ୯୮୪ ଥିଲା। ମାସକ ଭିତରେ ମୋବାଇଲ୍‌ ନେଟ୍‌ୱର୍କରେ ୬୭,୨୮୬ ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି। ଟ୍ରାଇ ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବରରେ ରାଜ୍ୟରେ ଦୁଇଟି କଂପାନି ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଦୁଇଟି କଂପାନି ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ଏୟାରଟେଲ୍‌ ୫୭,୮୭୪ ଏବଂ ରିଲାଏନ୍ସ ଜିଓ ୫୧,୩୩୬ ନୂଆ ଗ୍ରାହକ ଯୋଡ଼ିଛନ୍ତି। ବିଏସ୍‌ଏନ୍‌ଏଲ୍‌ ୯,୬୨୬ ଏବଂ ଭୋଡାଫୋନ୍ ଆଇଡିଆ ୩୧,୯୯୮ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି।

Advertisment

publive-image

ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶାରେ ଜିଓ ପାଖରେ ସର୍ବାଧିକ ଗ୍ରାହକ ରହିଛନ୍ତି। ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୩୮ ଲକ୍ଷ ୧୦ ହଜାର ୫୨୩ ଥିବା ବେଳେ ଏୟାରଟେଲ୍‌ ଗ୍ରାହକ ସଂଖ୍ୟା ହେଉଛି ୧ କୋଟି ୧୩ ଲକ୍ଷ ୨ ହଜାର ୧୧୮। ବିଏସ୍‌ଏନ୍‌ଏଲ୍‌ ପାଖରେ ରାଜ୍ୟର ୬୩ ଲକ୍ଷ ୨୦ ହଜାର ୮୨୭ ଜଣ ମୋବାଇଲ୍ ଗ୍ରାହକ ଥିବା ବେଳେ ଭୋଡାଫୋନ୍ ଆଇଡିଆ ପାଖରେ ୧୬ ଲକ୍ଷ ୪୫ ହଜାର ୮୨୬ ଜଣ ଗ୍ରାହକ ରହିଛନ୍ତି। ଫିକ୍ସଡ୍‌ ଲାଇନ୍ ବା ଓୟାରଲାଇନ୍ ବର୍ଗରେ ମଧ୍ୟ ଅକ୍ଟୋବର ମାସରେ ୫, ୪୦୧ ଜଣ ନୂଆ ଗ୍ରାହକ ସୃଷ୍ଟି ହୋଇଛନ୍ତି। ରାଜ୍ୟରେ ମୋଟ ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୩ ଲକ୍ଷ ୬୩ ହଜାର ୨୨୭କୁ ବୃଦ୍ଧି ପାଇଛି। ସେଥିରୁ ରିଲାଏନ୍ସ ଜିଓ ପାଖରେ ୧,୭୭,୫୦୩ ଜଣ ଗ୍ରାହକ ଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ପାଖରେ ୧,୭୨,୬୩୦ ଜଣ ଗ୍ରାହକ ରହିଛନ୍ତି।