୩ ପ୍ରତିରକ୍ଷା ପିଏସ୍‌ୟୁ ବିକ୍ରି ହେବ

ନୂଆଦିଲ୍ଲୀ: ପ୍ରତିରକ୍ଷା ‌କ୍ଷେତ୍ରର ୩ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ରୁ ସରକାର ପୁଞ୍ଜି ପ୍ରତ୍ୟାହାର କରିବେ। ସେଗୁଡ଼ିକ ହେଲା ବିଇଏମ୍‌ଏଲ୍‌ ଲିମିଟେଡ, ଗାର୍ଡେନ୍‌ ରିଚ୍‌ ସିପ୍‌ବିଲ୍‌ଡର୍ସ ଆଣ୍ଡ୍‌ ଇଞ୍ଜିନିୟର୍ସ ଲିମିଟେଡ (ଜିଆର୍‌ଏସ୍‌ଇ) ଏବଂ ମିଶ୍ର ଧାତୁ ନିଗମ ଲିମିଟେଡ (ମିଧାନି)। ଏହି ଉଦ୍ୟୋଗ ୩ଟିରୁ ପୁଞ୍ଜି ପ୍ରତ୍ୟାହାର ‌କେବେ ଶେଷ ହେବ ତାହା ବଜାର ସ୍ଥିତି ଉପରେ ନିର୍ଭର କରୁଛି। ତେଣୁ ଏ ନେଇ କିଛି ସମୟସୀମା ଆକଳନ କରାଯାଇ ପାରିବ ‌ନାହିଁ ବୋଲି ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାଏକ୍ ଆଜି ରାଜ୍ୟସଭା ସଦସ୍ୟ ଡ ଶାନ୍ତନୁ ସେନ୍‌ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

ଗତ ୫ ବର୍ଷ ମଧ୍ୟରେ ସରକାର ପ୍ରତିରକ୍ଷା କ୍ଷେତ୍ରର ୬ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ଅଂଶଧନ ହ୍ରାସ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ୍‌)ରୁ ଅଂଶଧନ ବିକ୍ରି କରି ୮୦୭୩.୨୯ କୋଟି ଟଙ୍କା ସଂଗ୍ରହ କରିଥିବା‌େବଳେ ଭାରତ ଡାଇନାମିକ୍ସ ଲିମିଟେଡ (ବିଡିଏଲ୍‌)ରୁ ୨୩୭୧.୧୯ କୋଟି, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ୍‌)ରୁ ୧୪୧୮୪.୭୦ କୋଟି, ମିଧାନିରୁ ୪୩୪.୧୪ କୋଟି, ଗାର୍ଡେନ ରିଚ୍‌ ସିପ୍‌ବିଲଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ ଲିମିଟେଡ (ଜିଆରଏସଇ)ରୁ ୪୨୦.୫୨ କୋଟି, ମାଜାଗାଓଁ ଡକ୍‌ ସିପ୍‌ବିଲଡର୍ସ ଲିମିଟେଡ (ଏମ୍‌ଡିଏଲ୍‌)ରୁ ୯୭୪.୧୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ନିୟନ୍ତ୍ରଣ ବଜାୟ ରଖିବା ସହିତ ସରକାର ସଂଖ୍ୟାଲଘୁ ଅଂଶଧନ ବିକ୍ରି ନୀତି କାର୍ଯ୍ୟକାରୀ କରୁଛନ୍ତି। ଏହି ନୀତି ଆଧାରରେ ଏସବୁ ଉଦ୍ୟୋଗର ଅଂଶଧନ ବିକ୍ରି କରାଯାଇଛି।

ସମ୍ବନ୍ଧିତ ଖବର