ଭୁବନେଶ୍ବର: ପରିବେଶ ପ୍ରଦୂଷଣ ହ୍ରାସ ଅପରିହାର୍ଯ୍ୟ ହୋଇପଡ଼ିଛି। ଏଥିପାଇଁ ଅକ୍ଷୟ ଶକ୍ତି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହୋଇଥିବାବେଳେ ଓଡ଼ିଶାରେ ଏଥିପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। ପ୍ରାୟ ୫୦୦ କିମିର ଦୀର୍ଘ ବେଳାଭୂମି ଠାରୁ ଆରମ୍ଭ କରି ଅନେକ ଜଳଭଣ୍ଡାର ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨.୮ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ ହୋଇଥିବାବେଳେ ଆଗାମୀ ଦିନରେ ଆଉ ୪୦ ଗିଗାୱାଟ୍ର ଅକ୍ଷୟ ଶକ୍ତି ଉତ୍ପାଦନ କରାଯାଇ ପାରିବ ବୋଲି ଇରେଡା (ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି)ର ସିଏମ୍ଡି ପ୍ରଦୀପ କୁମାର ଦାସ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୪୦ ଗିଗାୱାଟ ଅକ୍ଷୟ ଶକ୍ତି ମଧ୍ୟରୁ ସୌରଶକ୍ତିରୁ ୨୫.୭ ଗିଗାୱାଟ, ପବନ ଶକ୍ତିରୁ ୧୨.୫ ଗିଗାୱାଟ, ଜଳ ବିଦ୍ୟୁତ୍ରୁ ୨.୯ ଗିଗାୱାଟ ଏବଂ ବାୟୋମାସ୍ରୁ ୦.୧ ଗିଗାୱାଟ୍ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନ ସହିତ ବିଭିନ୍ନ ଉପକରଣ ତିଆରି କରି ବିଦେଶକୁ ରପ୍ତାନି କରିବା ଲାଗି ବନ୍ଦର ରହିଛି। ଅତୀତରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଅକ୍ଷୟ ଶକ୍ତି ନିବେଶ ନୀତିରେ ଆକୃଷ୍ଟ ହୋଇ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଯୋଜନା ହୋଇଛି। ତେଣୁ ଆଗାମୀ ଦିନରେ ଆଉ ୨ ଲକ୍ଷ କୋଟି ଟଙ୍କା ନିବେଶ ସୁଯୋଗ ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।
ନିକଟରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିବା ସମୟରେ ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି ସଂପର୍କରେ ସେ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିବା ପାଇଁ କହିଥିଲେ। ଏ ନେଇ ତଥ୍ୟ ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଆମେ ତଥ୍ୟ ଉପସ୍ଥାପନ କରିବୁ ବୋଲି ସେ କହିଛନ୍ତି। ଇରେଡା ପ୍ରତିଷ୍ଠା ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ୩୦୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରୁ ଜୁନ ୩୦ ସୁଦ୍ଧା ୧୯୩୪ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ଏଥିସହିତ ଗତକାଲି ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ମଧ୍ୟ ଓଡ଼ିଶାର ଦୁଇଟି କମ୍ପାନିକୁ ୧୪୬ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ସେ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଇରେଡାର ଅର୍ଥ ନିର୍ଦ୍ଦେଶକ ଡ. ବିଜୟ କୁମାର ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।