ଟାଟା ଷ୍ଟ୍ରାଇଭ୍, ଟେକ୍ ମହିନ୍ଦ୍ରା ସହ ୩ଟି ଏମ୍‌ଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ଖାରବେଳ ଭବନରେ ରାଜ୍ୟ ସରକାରଙ୍କ ତରଫରୁ ଟାଟା ଷ୍ଟ୍ରାଇଭ୍ ଓ ଟେକ୍ ମହିନ୍ଦ୍ରା ସହିତ ତିନିଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଲଘୁ ଦକ୍ଷତା ତାଲିମ ପ୍ରଦାନ କରିବା ଲାଗି ଟାଟା ଷ୍ଟ୍ରାଇଭ୍ ସହିତ ଚୁକ୍ତି କରାଯାଇଛି। ସେହିପରି କୃତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ (ଏମ୍ଏଲ୍‌) ଉପରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ଲାଗି ବିପିୟୁଟି, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି (ସିଇଟି) ଓ ଟେକ୍ ମହିନ୍ଦ୍ରା ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏକ ଆନ୍ତର୍ଜାତିକ ବିପିଓ ବିଜନେସ୍ ୟୁନିଟ୍ ସ୍ଥାପନ କରିବା ଲାଗି ଟେକ୍ ମହିନ୍ଦ୍ରା ଓ ଇଡ୍‌କୋ ମଧ୍ୟରେ ଆଉ ଏକ ବୁଝାମଣା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଓଡ଼ିଶାର ଯୁବପିଢ଼ିଙ୍କୁ ସାରା ବିଶ୍ବ ଲାଗି ଦକ୍ଷ କରିବା ଦିଗରେ କାର୍ଯ୍ୟ କରୁଛୁ। ଟାଟା ଷ୍ଟ୍ରାଇଭ୍ ଓ ଟେକ୍ ମହିନ୍ଦ୍ରା ସହ ହୋଇଥିବା ବୁଝାମଣା ସ୍କିଲଡ୍‌-ଇନ୍-ଓଡ଼ିଶା ସହ ବେଶ ଖାପଖାଉଛି। ନିଯୁକ୍ତି ସୁଯୋଗ ହାସଲ କରିବାରେ ଏହା ଯୁବପିଢ଼ିଙ୍କ ପାଇଁ ବିଶେଷ ସହାୟକ ହେବ।

ଆଜି ଟାଟା ଷ୍ଟ୍ରାଇଭ୍‌ର ସିଇଓ ଅନିତା ରାଜନ ଏବଂ ‌ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ନିର୍ଦେଶକ ରେଘୁ ଜି ଏହି ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଟେକ୍ ମହିନ୍ଦ୍ରା ସହ‌େଯାଗ ସ୍ଥାପନ କରାଯିବାକୁ ଥିବା ଏଆଇ ଓ ଏମ୍ଏଲ୍‌ ଉତ୍କର୍ଷ କେନ୍ଦ୍ରରେ ପ୍ରତିବର୍ଷ ୩୦ ଛାତ୍ରଛାତ୍ରୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯିବ। ଏଥିପାଇଁ ଟେକ୍ ମହିନ୍ଦ୍ରାର ଏସ୍‌ଭିପି (ଗ୍ଲୋବାଲ୍ ଡେଲିଭରି ହେଡ୍‌) ବି କେ ମିଶ୍ର, ସିଇଟିର ଅଧ୍ୟକ୍ଷ ପ୍ରଫେସର ପି କେ ପାତ୍ର ଓ ବିପିୟୁଟିର ରେଜିଷ୍ଟ୍ରାର୍‌ ଏଚ୍‌ ଏସ୍‌ ବେହେରା ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏହି ଅବସ‌ରରେ କୌଶଳ ବିକାଶ ଓ ବୈଷୟିକ ଶିକ୍ଷ‌ା ବିଭାଗର କମିସନର ତଥା ସଚିବ ସଞ୍ଜୟ ସିଂହ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ବିପିଓ ଲାଗି ହୋଇଥିବା ବୁଝାମଣାରେ ଇଡ୍‌କୋର ସିଜିଏମ୍ ବି‌ କେ ଦାସ ଓ ଟେକ୍‌ ମହିନ୍ଦ୍ରାର ଏସ୍‌ଭିପି ଶ୍ରୀ ମିଶ୍ର ସ୍ବାକ୍ଷର କରିଛନ୍ତି।

ଏହି ଅବସରରେ ରୁଷିଆରେ ଅନୁଷ୍ଠିତ ହୋଇଥିବା ବିଶ୍ବ କୌଶଳ ପ୍ରତିଯୋଗିତାର ସ୍ବର୍ଣ୍ଣ ବିଜେତା ଅଶ୍ବସ୍ଥ ନାରାୟଣଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କ ପ୍ରଶିକ୍ଷକ ରଜତ ସାମନ୍ତରାୟଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଛି। ଜଳ ପ୍ରଯୁକ୍ତି ଉପରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ଲାଗି ସିଭି ରମଣ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୀବ ରାଉତ ସେହି ପାଣ୍ଠି ଗ୍ରହଣ କରିଛନ୍ତି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଓଏସ୍‌ଡିଏର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର