ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟଟaନର ବିକାଶ ପାଇଁ ଆଜି ଲୋକସେବା ଭବନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆଇଆଇଟି ମାଡ୍ରାସ, ଗୋଆର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟ୍ସ ଏବଂ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ ସହ ଚୁକ୍ତିନାମା ହୋଇଛି। 

Advertisment

ଓଡ଼ିଶାର ଐତିହ୍ୟ ସ୍ମାରକୀଗୁଡ଼ିକର ସାଇଣ୍ଟିଫିକ୍ ଢାଞ୍ଚାଗତ ଅଡିଟ୍‌ ଓ ସଂରକ୍ଷଣ ପାଇଁ ଆଇଆଇଟି ମାଡ୍ରାସ ବୈଷୟିକ ସହାୟତା ଯୋଗାଇବ। ଏହି ସହଯୋଗରେ ବିସ୍ତୃତ ଡକ୍ୟୁମେଣ୍ଟେସନ୍, ସାମଗ୍ରୀ ପରୀକ୍ଷଣ, ଭୂ-ବୈଷୟିକ ତଦନ୍ତ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଥିରେ ଓଡ଼ିଶାର ଐତିହ୍ୟ ସମ୍ପତ୍ତିଗୁଡ଼ିକୁ ସଂରକ୍ଷଣ ଓ ପୁନରୁଦ୍ଧାର କରିବା ଉପରେ ଧ୍ୟାନ ଦିଆଯିବ। ସେହିପରି, ଓଡ଼ିଶାରେ ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଗୋଆର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟ୍ସ ବୈଷୟିକ ବିଶେଷଜ୍ଞତା ପ୍ରଦାନ ଓ ସୁରକ୍ଷା ଅଡିଟ୍ କରିବ। ଏହା ଅପରେଟର୍‌, ଲାଇଫ୍‌ଗାର୍ଡ ଓ ଦୁଃସାହସିକ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବ। ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍‌ ସହଯୋଗିତାରେ ବାର୍ଷିକ ବୌଦ୍ଧ ପ୍ରାର୍ଥନା ସମାରୋହ ଆୟୋଜନ, ପରିଦର୍ଶକଙ୍କ ସୁବିଧାର ବିକାଶ, ପବିତ୍ର ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ, ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ ଓ ଆଦର୍ଶର ସଂରକ୍ଷଣ ଉପରେ ଧ୍ୟାନ ଦିଆଯିବ। ଏହା ଓଡ଼ିଶାର ବୌଦ୍ଧ ଐତିହ୍ୟକୁ ବିଶ୍ବ ତୀର୍ଥଯାତ୍ରା ସର୍କିଟ୍‌ ସହ ସଂଯୋଗ କରିବ। କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର ୨୦ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରିଥିଲେ।