ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ନିବନ୍ଧ ଲେଖିଲେ ୩ ଓଡ଼ିଆ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ନିବନ୍ଧକୁ ଲେଖିଛନ୍ତି ୩ ଜଣ ଓଡ଼ିଆ ଅଧିକାରୀ। ଜଣେ ହେଉଛନ୍ତି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର ଓ ଅନ୍ୟ ଦୁଇ ଅଧିକାରୀ ହେଉଛନ୍ତି ହରେନ୍ଦ୍ର ବେହେରା ଓ ସିଲୁ ମୁଦୁଲି। ‘କ୍ୟାପିଟାଲ୍ ଫ୍ଲୋଜ୍‌ ଆଟ୍ ରିସ୍କ: ଇଣ୍ଡିଆଜ୍ ଏକ୍ସପେରିଏନ୍ସ’ ନିବନ୍ଧକୁ ତିନି ଜଣ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହାକୁ ରିଜର୍ଭ ବ୍ୟାଙ୍କର ୨୦୨୨ ଜୁନ୍‌ ବୁଲେଟିନ୍‌ରେ ଜାରି କରାଯାଇଛି। ନିବନ୍ଧରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଲେଖମାନଙ୍କ ବ୍ୟକ୍ତିଗତ ମତ ଓ ଏହା ରିଜର୍ଭ ବ୍ୟାଙ୍କର ମତ ଭାବେ ଉପସ୍ଥାପନ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବିଶ୍ବ ସ୍ତ‌ରରେ ଘଟୁଥିବା ପ୍ରମୁଖ ଘଟଣାଗୁଡ଼ିକ ପ୍ରଭାବରେ ଦେଶରୁ କେତେ ପରିମାଣର ବିଦେଶୀ ମୁଦ୍ରା ବାହାରକୁ ଚାଲିଯିବାର ଆଶଙ୍କା ରହିଛି ତାହାର ଏକ ଚିତ୍ର ସେମାନେ ଉପସ୍ଥାପନ କରିଛନ୍ତି।

ରିପୋର୍ଟରେ ସେମାନେ ଜଣାଇଛନ୍ତି ଯେ ପ୍ରାୟ ୧୦,୦୦୦ କୋଟି ଡଲାର (୧୦୦ ବିଲିଅନ)ର ବୈଦେଶିକ ପାଣ୍ଠି ଦେଶ ବାହାରକୁ ଚାଲିଯିବାର ଆଶଙ୍କା ରହିଛି।
ଗତବର୍ଷ ସେପ୍ଟେମ୍ବର ୩ରେ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡା‌ରରେ ସର୍ବକାଳୀନ ରେକର୍ଡ ୬୪,୨୦୦ କୋଟି ଡଲାରର ବିଦେଶୀ ମୁଦ୍ରା ଥିଲା ଯାହା ୧୪-୧୫ ମାସର ଆମଦାନି ଖର୍ଚ୍ଚ ତୁଲାଇବାକୁ ଯଥେଷ୍ଟ ଥିଲା। ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଆଉ ୫୯,୬୦୦ କୋଟି ଡଲାରର ବିଦେଶୀ ମୁଦଆ ରହିଛି ଯାହା ୧୦ ମାସର ଆମଦାନି ଆବଶ୍ୟକତା ପୂରଣ କରିପାରିବ। ୨୦୨୨ରେ ବର୍ତ୍ତମାନ ସୁଦ୍ଧା ବିଦେଶୀ ନିବେଶକମାନେ ଷ୍ଟକ ବଜାରରେ ରେକର୍ଡ ୨.୦୮ ଲକ୍ଷ କୋଟି ଟଙ୍କାର ଇକ୍ବିଟି ସେୟାର ବିକ୍ରି କରିସାରିଛନ୍ତି। ‌ସେହି ସମୟରେ ବୈଦେଶିକ ସଂସ୍ଥାଗତ ନିବେଶକମାନେ ୧୪,୬୧୮ କୋଟି ଟଙ୍କାର ‌ସ୍ଥାନୀୟ ଡେବ୍‌ଟ ବିକି କରିଛନ୍ତି।

ସମ୍ବନ୍ଧିତ ଖବର