ଭୁବନେଶ୍ୱର: ସରକାରୀ ଜନକଲ୍ୟାଣକାରୀ ଯୋଜନାରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ପ୍ୟାନେଲ୍‌ରୁ ହଟିବା ଭଳି କାର୍ଯ୍ୟାନୁଷ୍ଠାନ ସାମ୍ନା କରିବା ପରେ ତିନି ଘରୋଇ ବ୍ୟାଙ୍କ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଚେତିଛନ୍ତି। ବ୍ୟାଙ୍କଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ସରକାରୀ ଯୋଜନାରେ ପ୍ରଦର୍ଶନ ବଢ଼ାଇବା ଉପରେ ଧ୍ୟାନ ଦେବେ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ
ସରକାରୀ ଯୋଜନାରେ ପ୍ରଦର୍ଶନ ବଢ଼ାଇବେ

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ଯୋଜନାଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷଜନକ ନୁହେଁ। ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ଅଧିକ ଗରିବ ଲୋକଙ୍କୁ ୠଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସବୁ ଯୋଜନାରେ ଗରିବ ଲୋକଙ୍କୁ ୠଣଦେବା ପାଇଁ ଆଗ୍ରହୀ ଅଛନ୍ତି ଏବଂ ଖୁବଶୀଘ୍ର ଏହି ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ବ୍ୟାଙ୍କ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଥିଲେ। ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ‌ନୈରାଶ୍ୟଜନକ ପ୍ରଦର୍ଶନକୁ  ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୨୧ରେ ଏହି ବ୍ୟାଙ୍କଗୁଡିକୁ ନିଜ ପ୍ୟାନେଲ୍ ତାଲିକାରୁ ବାହାର କରିଦେଇଥିଲେ। 

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ  ଶାଶ୍ୱତ ମିଶ୍ର, ଆକ୍ସିସ୍ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୁନୀଷ ସାରଦା, ସରକାରୀ ବିଜ୍‌ନେସ ୍‌କଣ୍ଟ୍ରିହେଡ୍ ଅନୀଲ ଅଗ୍ରୱାଲ୍, ପୂର୍ବାଞ୍ଚଳ ଆଞ୍ଚଳିକ ମୁଖ୍ୟ ସୌରଭ ଦତ୍ତା, ଏଚ୍‌ଡିଏଫ୍‌ସି ବ୍ୟାଙ୍କର କଣ୍ଟ୍ରି ହେଡ୍ ସ୍ମିତା ଭଗତ୍, ଶାଖା ବ୍ୟାଙ୍କିଙ୍ଗ ମୁଖ୍ୟ-ପୂର୍ବ ସନ୍ଦୀପ କୁମାର, ଆଞ୍ଚଳିକ ମୁଖ୍ୟ ଦୀପକ ସିଂହ ଏବଂ ଆଇସିଆଇସିଆଇ ବ୍ୟାଙ୍କର ବ୍ୟବସାୟ ମୁଖ୍ୟ ସୁମିତ ମେହେରୋତ୍ରା, ଓଡିଶା ସହର ବ୍ୟବସାୟ ମୁଖ୍ୟ ବିନୋଦ ଏଲ୍ ଓ ଆଞ୍ଚଳିକ ମୁଖ୍ୟ ଅମିୟ ନାୟକ ପ୍ରମୁଖ ଯୋଗଦେଇଥିଲେ।