ନୂଆଦିଲ୍ଲୀ: ଆଜିକାଲି ହୃଦରୋଗ ବଢ଼ିବାରେ ଲାଗିଛି। ବିଶ୍ବରେ ମୃତ୍ୟୁର ଏକ ପ୍ରମୁଖ କାରଣ ହୃଦ୍‌ଘ‌ାତ ପାଲଟିଛି। ଏଥିପାଇଁ ‌ଏହି ରୋଗର ଆଗୁଆ ଚିହ୍ନଟ ଜରୁରୀ। ଏହାହେଲେ ହୃଦ୍‌ଘାତଜନିତ ବିପଦ କମିବ। ଆମେରିକାର ବିଶିଷ୍ଟ ଓ ଅଭିଜ୍ଞ ହୃଦ୍‌ରୋଗ ବିଶେଷଜ୍ଞ ଡା. ଜେରେମି ଲଣ୍ଡନ ହୃଦ୍‌ରୋଗଜନିତ ବିପଦ ଚିହ୍ନଟ ପାଇଁ ୩ଟି ଲାବ୍‌ ଟେଷ୍ଟ୍‌ ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଥମ ଟେଷ୍ଟ ହେଉଛି ଏଲ୍‌ଡିଏଲ୍‌-ସି ବା ଲୋ ଡେନସିଟି ଲିପୋପ୍ରୋଟିନ କୋଲେଷ୍ଟେରୋଲ ଯାହାକି ଅଧିକାଂଶ ସମୟରେ ବ୍ୟାଡ୍‌ କୋଲେଷ୍ଟେରୋଲ୍‌ ଭାବେ ପରିଚିତ। ଏଲ୍‌ଡିଏଲ୍‌-ସି ସ୍ତର ଅଧିକ ଥିଲେ ହୃଦରୋଗରେ ପୀଡ଼ିତ ହେବା ବା ହୃଦଘାତ ହେବାର ଆଶଙ୍କା ଅଧିକ ରହିଥାଏ। ଡା. ଲଣ୍ଡନଙ୍କ ଦ୍ବିତୀୟ ଲାବ୍‌ ଟେଷ୍ଟ ସୁପାରିସଟି ହେଉଛି ଆପିଲୋପୋପ୍ରୋଟିନ-ବି (ଏପିଓବି) ଟେଷ୍ଟ। ଆଥରଜେନିକ ପାର୍ଟିକିଲ୍ସ ସଂଖ୍ୟାକୁ ବିଚାରକୁ ନିଆଯାଇ ଏଥିରେ ହୃଦରୋଗର ବିପଦ ସଂପର୍କରେ ଜଣାଯାଇଥାଏ। ଏହାର ଅନ୍ୟନାମ ହେଉଛି ଆପୋଲିପୋପ୍ରୋଟିକ ବି-୧୦୦। ତୃତୀୟ ପରୀକ୍ଷା ହେଉଛି ଏଲ୍‌ପି-ଏ (ଲିପୋପ୍ରୋଟିନ-ଏ)। ଏହାର ସ୍ତର ଅଧିକ ଥିଲେ ହୃଦଘାତର ବିପଦ ବଢ଼ିଯାଇଥାଏ। ଡା. ଲଣ୍ଡନ କୁହନ୍ତି, ହୃଦଘାତଜନିତ ବିପଦକୁ କମ୍‌ କରିବା ପାଇଁ ହେଲେ ଏଲ୍‌ଡିଏଲ୍‌-ସି ଏବଂ ଏପିଓବି ସ୍ତରକୁ କମ୍‌ କରିବାର ଆବଶ୍ୟକତା ରହିଛି। ଏଲ୍‌ପି-ଏକୁ କମ୍‌ କରିବା ପାଇଁ ଔଷଧ ମଧ୍ୟ ରହିଛି।

Advertisment

ତୁରନ୍ତ ସୁରକ୍ଷା ଦେଇଥାଏ ‘ରାମ କିଟ୍‌’
ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କ ହୃଦଘାତରେ ଦେହାନ୍ତରେ ପରେ ନିଖିଳ ସୈନି ନାମଜ ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା। ସେଥିରେ ‘ରାମ କିଟ୍‌’ ନାମରେ ଏକ ମୌଳିକ କିଟ୍‌ ବିଷୟରେ ସୈନି ସୂଚନା ଦେଇଥିଲେ। ଜଣେ ବ୍ୟକ୍ତି ଯେତେବେଳେ ହୃଦ୍‌ଘାତର ଲକ୍ଷଣ କିମ୍ବା ଛାତିରେ ଗୁରୁତର ଯନ୍ତ୍ରଣା ଅନୁଭବ କରନ୍ତି ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ଉକ୍ତ କିଟ୍‌ ବ୍ୟବହାର ପାଇଁ ସେ ମତ ଦେଇଛନ୍ତି। ଉତ୍ତରପ୍ରଦେଶ କାନପୁର ଅନ୍ତର୍ଗତ ଲକ୍ଷ୍ମୀପତ ସିଂଘାଣିଆ ଇନଷ୍ଟିଚ୍ୟୁଟ୍‌ର ହୃଦରୋଗ ବିଶେଷଜ୍ଞ ଡା. ନିରଜ କୁମାର ଏହି କିଟ୍ ପ୍ରସ୍ତୁତ କରିଛନ୍ତି। ଏହି କିଟ୍‌ର ଦାମ୍‌ ୭ ଟଙ୍କା ଏବଂ ଏଥିରେ ୩ ପ୍ରକାର ଔଷଧ ଯଥା ଗୋଟିଏ ଲେଖାଏଁ ସୋର୍ବିଟ୍ରେଟ୍ ଓ ରୋଜୁଭେଷ୍ଟେଟିନ୍ ଏବଂ ଦୁଇଟି ଇକୋସ୍ପ୍ରିନ୍ ଟା‌ବଲେଟ୍ ରହିଛି।  ଯଦି ଜଣେ ବ୍ୟକ୍ତି ହୃଦ୍‌ଘାତର ଶିକାର କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି ତାହେଲେ ତାଙ୍କୁ ‘ରାମ କିଟ୍’ ତୁରନ୍ତ ଦିଆଯିବା ଆବଶ୍ୟକ। ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପର୍ଯ୍ୟନ୍ତ ଏହା ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହୋଇଥାଏ। ସେ କୁହନ୍ତି, ପ୍ରତି ଘରେ ଏହି ‘ରାମ କିଟ୍‌’ ରଖାଯିବାର ଆବଶ୍ୟକତା ରହିଛି। ସୋର୍ବିଟ୍ରେଟ୍ ଔଷଧକୁ ଜିଭ ତଳେ ରଖାଯାଇଥାଏ। ଏଥିସହିତ କିଟ୍‌ରେ ଥିବା ଦୁଇଟି ଇକୋସ୍ପ୍ରିନ ବଟିକା ଏବଂ ଗୋଟିଏ ରୋଜୁଭାଷ୍ଟାଟିନ ବଟିକାକୁ ଖାଇବାକୁ ହୋଇଥାଏ। ତେବେ ଏହି କିଟ୍‌ରେ ସତର୍କ ସୂଚନା ମଧ୍ୟ ରହିଛି। ଯେଉଁ ବ୍ୟକ୍ତିମାନଙ୍କର ଏହି ଔଷଧ ପ୍ରତି ଆଲର୍ଜି ରହିଛି ସେମାନେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ।