ଆକାଂକ୍ଷୀ ଜିଲ୍ଲା ପାଇବେ ଅଧିକ ୩୦ କୋଟି, ଡିଏମ୍ଏଫ୍ ପାଣ୍ଠି ସହ ଯୋଡ଼ିହେଲା ଇଏପି-ଏସ୍‌ଡିଜି

ଭୁବନେଶ୍ବର: ବିଭିନ୍ନ ମାନଦଣ୍ଡରେ ଉନ୍ନତ ପ୍ରଦର୍ଶନ କରୁଥିବା ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ଧାର୍ଯ୍ୟ ପାଣ୍ଠି ବାଦ ବର୍ଷକୁ ଅତିରିକ୍ତ ୩୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଥିବା ଜିଲ୍ଲାଗୁଡ଼ିକୁ ଏହି ସୁବିଧା ମିଳିବ।

କେନ୍ଦ୍ର ସରକାର ଦେଶରେ ଚିହ୍ନଟ କରିଥିବା ୧୧୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୦ଟି ଜିଲ୍ଲା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଢେଙ୍କାନାଳ ଓ ବଲାଙ୍ଗୀର। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ୮ଟି ଜିଲ୍ଲା ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ଦୁଇଟି ଜିଲ୍ଲା ପଛୁଆ ରହିଛନ୍ତି। ସେହି ଜିଲ୍ଲାଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ଉଦ୍ୟମ ଜାରି ରହିବ। ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଆଣିଥିବା ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ଏକ୍ସଟରନାଲି ଏଡେଡ୍‌ ପ୍ରୋଗ୍ରାମ୍ ଅନ୍‌ ସଷ୍ଟେନେବଲ୍‌ ଡେଭେଲପ୍‌ମେଣ୍ଟ୍‌ ଗୋଲ୍‌ (ଇଏପି-ଏସ୍‌ଡିଜି) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିପାଇଁ ୧୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଥି ମଧ୍ୟରୁ ୬୦୦ କୋଟି ଟଙ୍କା ନିତି ଆୟୋଗର ଚ୍ୟାଲେଞ୍ଜ୍‌ ପଦ୍ଧତି ମାଧ୍ୟମରେ ଚିହ୍ନଟ କରାଯାଇଥିବା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯିବ। ସବୁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ବିଭିନ୍ନ ମାନଦଣ୍ଡକୁ ନେଇ ପ୍ରତିଯୋଗିତା କରାଯିବା ପରେ ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରାଯାଇଛି।

ଚ୍ୟାଲେଞ୍ଜ ପଦ୍ଧତିରେ ସଫଳ ହୋଇଥିବା ଜିଲ୍ଳାଗୁଡ଼ିକ ନିତି ଆୟୋଗଙ୍କ ଠାରୁ ସାର୍ଟିଫିକେଟ୍‌ ପାଇବେ। ଏହା ପରେ ରାଜ୍ୟ ସରକାର ସେହି ଜିଲ୍ଲାଗୁଡ଼ିକୁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍‌)ରୁ ଅର୍ଥ ପ୍ରଦାନ କରିବେ। କେନ୍ଦ୍ର ସରକାର ଏନେଇ ରାଜ୍ୟଗୁଡ଼ିକୁ ନିର୍ଦେଶ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭାବେ ଡିଏମ୍ଏଫ୍‌ ପା‌ଣ୍ଠିର ସମୀକ୍ଷା କରୁଥିବା ବେଳେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ମଧ୍ୟ ନିୟମିତ ବ୍ୟବଧାନରେ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବଙ୍କ ସହିତ ଏନେଇ ଆଲୋଚନା କରୁଛନ୍ତି। କେତେକ ରାଜ୍ୟରେ ଡିଏମ୍ଏଫ୍‌ ପାଣ୍ଠି ବ୍ୟୟ ମନ୍ଥର ରହୁଥିବାରୁ ଏହାକୁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ସହ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଡିଏମ୍ଏଫ୍‌ ପାଣ୍ଠିକୁ ଇଏପି-ଏସ୍‌ଡିଜି ସହିତ ଯୋଡ଼ି ଦିଆଯାଇଥିବାରୁ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଜିଲ୍ଲା ପ୍ରଶାସନଗୁଡ଼ିକ ଲାଗି ଅଧିକ ସହଜ ହୋଇପାରିବ ବୋଲି ଅଧିକାରୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର