ବୀମା ପ୍ରିମିୟମ୍ ପାଇଁ ଅଧିକ ୩୦ ଦିନ ମହଲତ ମିଳିବ

ନୂଆଦିଲ୍ଲୀ: ବୀମା ନବୀକରଣ ପ୍ରିମିୟମ୍ ପାଇଁ ଗ୍ରାହକମାନଙ୍କୁ ୩୦ ଦିନର ଅତିରିକ୍ତ ମହଲତ (ଗ୍ରେସ୍‌ ପିରିଅଡ୍‌) ପ୍ରଦାନ କରିବା ଲାଗି ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ତରଫରୁ ବୀମା କଂପାନିଗୁଡ଼ିକୁ କୁହାଯାଇଛି। ସେହିପରି, ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ପଲିସିର ନବୀକରଣକୁ ଧାର୍ଯ୍ୟ ତାରିଖ ଠାରୁ ୩୦ ଦିନ ବିଳମ୍ବରେ ଦିଆଯାଇପାରିବ। ଏହି ସମୟ ଭିତରେ ଯଦି କୌଣସି ଗ୍ରାହକ ନିଜ ସ୍ବାସ୍ଥ୍ୟ ବୀମା ପଲିସିର ନବୀକରଣ କରିନପାରିବେ ତେବେ ତାହାକୁ ପଲିସି ବନ୍ଦ ହୋଇଗଲା ବୋଲି ବିଚାର କରାଯାଇପାରିବ ନାହିଁ। ପ୍ରିମିୟମ୍ ପ୍ରଦାନ, ନବୀକରଣ, ଦାବି ସମାଧାନ ଏବଂ ଅନ୍ୟାନ୍ୟ ସେବା ପାଇଁ ବୀମା କଂପାନିଗୁଡ଼ିକ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ତାହାର ସୂଚନା ନିଜ ୱେବସାଇଟ୍‌ରେ ଦେବେ। ଅଧିକାଂଶ ସେବାକୁ ଡିଜିଟାଲ୍ କିମ୍ବା ଟେଲିଫୋନ୍ ମାଧ୍ୟମରେ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବୀମା କଂପାନିଗୁଡ଼ିକର ବୋର୍ଡ ବୈଠକ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଭିଡିଓ କନ୍‌ଫରେନ୍ସିଂ କିମ୍ବା ଅଡିଓ ଭିଜୁଆଲ୍ ମାଧ୍ୟମରେ ହେବ। ମାସିକ ରିଟର୍ଣ୍ଣ ଦାଖଲ କରିବା ଲାଗି ବୀମା କଂପାନି ଓ ଇଣ୍ଟରମେଡିଏଟାରି ସଂସ୍ଥାଗୁଡ଼ିକୁ ୧୫ ଦିନର ଅତିରିକ୍ତ ମହଲତ ମିଳିବ।

ସମ୍ବନ୍ଧିତ ଖବର