ପିଲାଙ୍କୁ ମଣିଷ କରିବା ଖର୍ଚ୍ଚ ଆକାଶଛୁଆଁ: ସ୍କୁଲ ପଢ଼ା ପାଇଁ ୩୦ ଲକ୍ଷ ଟଙ୍କା, କଲେଜ ପଢ଼ା ପାଇଁ କୋଟିଏ

ନୂଆଦିଲ୍ଲୀ: ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଲାଗି ଦରକାର ହେଉଥିବା ଖର୍ଚ୍ଚ ଆକାଶ ଛୁଆଁ ସ୍ତରରେ ପହଞ୍ଚିଛି। ଇଟି ଅନଲାଇନ୍‌ର ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ଘରୋଇ ସ୍କୁଲରେ ଗୋଟିଏ ସନ୍ତାନକୁ ୩ ବର୍ଷରୁ ୧୭ ବର୍ଷ ‌ପର୍ଯ୍ୟନ୍ତ ପାଠ ପଢ଼ାଇବା ଲାଗି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସ୍କୁଲ ପାଠପଢ଼ାର ଫି’ ପ୍ରତି ୨-୫ ବର୍ଷରେ ବଦଳୁଛି। ତେଣୁ ସେହି ଅନୁସାରେ ପଢ଼ା ଖର୍ଚ୍ଚ ମଧ୍ୟ ବଢ଼ାଇବାକୁ ପଡ଼ୁଛି। ଅର୍ଥନୀତିଜ୍ଞମାନଙ୍କ ମତରେ ପାଠପଢ଼ାରେ ହେଉଥିବା ବିପୁଳ ଖର୍ଚ୍ଚ ମୁଦ୍ରାସ୍ଫୀତି ତଥ୍ୟରେ ପ୍ରତିଫଳିତ ହେଉନାହିଁ। ଦଶନ୍ଧି ପୁରୁଣା ମଡେଲ୍‌ରେ କରାଯାଉଥିବା ହିସାବରେ ଏହାର ଭାଗ ମାତ୍ର ୪.୫% ରହୁଛି। ଏଡୁଫଣ୍ଡ୍ ନାମକ ସଂସ୍ଥା ଅନୁଯାୟୀ, ୨୦୧୨-୨୦ ମଧ୍ୟରେ ଶିକ୍ଷା ଖର୍ଚ୍ଚରେ ୧୦-୧୨ ପ୍ରତିଶତ ବୃଦ୍ଧି ହୋଇଛି। ଟ୍ୟୁସନ ଫି’ଠାରୁ ଆରମ୍ଭ କରି ଗମନାଗମନ ଫି’ ଓ ପରୀକ୍ଷା ଫି’ ଆଦି ସବୁ କିଛି ନିୟମିତ ବ୍ୟବଧାନରେ ବଢ଼ୁଛି।

ଦେଶର ପ୍ରଥମ ଶ୍ରେଣୀ ସହରରେ ଥିବା ସ୍କୁଲଗୁଡ଼ିକ ନାମ ଲେଖା ପାଇଁ ୨୫,୦୦୦ ଟଙ୍କାରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ନର୍ସରି ଓ କେଜି ପାଠପଢ଼ା ପାଇଁ ସହରରେ ୬୦ ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ପ୍ରାଥମିକ ସ୍କୁଲ ଶିକ୍ଷା ପାଇଁ ବର୍ଷକୁ ହାରାହାରି ୧.୨୫ ଲକ୍ଷ ଟଙ୍କାରୁ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ମୋଟ ଉପରେ ପ୍ରାଥମିକ ଶିକ୍ଷାରେ ୫.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହାଇସ୍କୁଲ ପାଠପଢ଼ା ପାଇଁ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଆଇଆଇଟି ଭଳି ଶ୍ରେଷ୍ଠ ୨୦ ଇଞ୍ଜିନିୟରିଂ କଲେଜରେ ୪ ବର୍ଷିଆ ବି-ଟେକ୍ କିମ୍ବା ତିନି ବର୍ଷିଆ ବିଏସ୍‌ସି ପାଠ ପଢ଼ିବା ଲାଗି ୪-୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଜେଇଇ ଓ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ଲାଗି କୋଚିଂ ଓ ପ୍ରସ୍ତୁତି ପାଇ ୩୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ଆଇଆଇଏମ୍‌ ଭଳି ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ କିମ୍ବା ଘରୋଇ ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ୮-୨୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। କ୍ୟାଟ୍ ଓ ଜିମ୍ୟାଟ୍ ଭଳି ପରୀକ୍ଷା ଲାଗି ପ୍ରସ୍ତୁତି କରିବାର ଖର୍ଚ୍ଚ ଅଲଗା ରହୁଛି। ସିଏ ପାଇଁ ୩,୬୦,୦୦୦ ଟଙ୍କା, ସିଏମ୍ଏ ପାଇଁ ୮୦,୦୦୦ ଟଙ୍କାରୁ ୧,୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ସିଏ ପାଠ୍ୟକ୍ରମ ଶେଷ କରିବା ଲାଗି ଟ୍ୟୁସନ ଫି’ ବାଦ ୮୬ ହଜାର ଟଙ୍କା ଖର୍ଚ୍ଚ ହେଉଛି।

ସମ୍ବନ୍ଧିତ ଖବର