ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘର ପ୍ରତିନିଧିମାନେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଇସ୍ପାତ ଶିଳ୍ପ ଲାଗି ଆବଶ୍ୟକ ଅଧିକ ଲୁହାପଥର ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ସଂଘର ଅଧ୍ୟକ୍ଷ ତଥା ଜିନ୍ଦଲ୍‌ ଷ୍ଟିଲ୍ ଆଣ୍ଡ୍‌ ପାୱାର୍‌ର ମୁଖ୍ୟ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ ସଂଘର ପ୍ରତିନିଧି ବୈଠକରେ ଭାଗ ନେଇଥିଲେ। 

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଅଭିୃଦ୍ଧି ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ। ଏଥିରେ ଖଣି ଓ ଇସ୍ପାତ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ତେଣୁ, ଓଡିଶାରେ କମ୍ପାନି ପ୍ରତିଷ୍ଠା କରୁଥିବା ସଂସ୍ଥାଗୁଡିକୁ ସୁବିଧାରେ କଞ୍ଚାମାଲ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଇସ୍ପାତ କମ୍ପାନିଗୁଡିକୁ ମଧ୍ୟ ଉପଯୁକ୍ତ ବିଚାର ଆଲୋଚନା କରାଯାଇ ନିୟମ ଅନୁସାରେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବ। ବୈଠକରେ ଅଧିକ ଲୁହା ପଥର ଖଣିର ନିଲାମ ଏବଂ ନିଲାମ ହୋଇଥିବା ଖଣିଗୁଡିକରୁ ଶୀଘ୍ର ଉତ୍ତୋଳନ ଆରମ୍ଭ ଉପରେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ପ୍ରାୟ ୩୦ଟି ଖଣି ନିଲାମ ହେବାର ସମ୍ଭାବନା ରହିଛି ବୋଲି ଜଣାଯାଇଛି। ଏହା ସହିତ ଓଏମ୍‌ସିରୁ କିପରି ସୁବିଧାରେ ଇସ୍ପାତ୍‌ କମ୍ପାନିମାନଙ୍କୁ ଲୁହାପଥର ଯୋଗାଇ ଦିଆଯାଇ ପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।