ସିଏଆଇଟିର ଦାବି, କଟକଣା ପାଇଁ ୩୦ ଭାଗ ଖୁଚୁରା ବେପାର ପ୍ରଭାବିତ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ଏବେ ଚାଲିଛି। ପ୍ରଥମ ଲହର ତୁଳନାରେ ଦୈନିକ ସଂକ୍ରମଣ ଅଧିକ ବେଗରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ପକ୍ଷରୁ ଲୋକଙ୍କ ଯାତ୍ରା ସମେତ ବ୍ୟବସାୟ ଉପରେ କଟକଣା ଲାଗୁ କରାଯାଇଛି। ଉକ୍ତ କଟକଣା ମଧ୍ୟରେ ଆଂଶିକ ଲକ୍‌ଡାଉନ୍‌, ରାତ୍ରିକାଳୀନ କର୍ଫ୍ୟୁ ଆଦି ରହିଛଇ। କରୋନା ସଂକ୍ରମଣ ବୃଦ୍ଧି ଏବଂ କଟକଣା ଲାଗୁ ହେବାଦ୍ବାରା ଗ୍ରାହକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିପାଇଁ ଗତ ସପ୍ତାହରେ ଖୁଚୁରା ବ୍ୟବସାୟ ୩୦ ପ୍ରତିଶତ ପ୍ରଭାବିତ ହୋଇଛି ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି। ରାଜ୍ୟ ରାଜ୍ୟ ମଧ୍ୟରେ ମାଲ ପରିବହନ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇଥିବାବେଳେ ଖୁଚୁରା ବଜାରକୁ ଗ୍ରାହକଙ୍କ ଆଗମନରେ ପାଖାପାଖି ୫୦ ପ୍ରତିଶତ ହ୍ରାସ ଘଟିଛି ବୋଲି କୁହାଯାଇଛି।

ମହାରାଷ୍ଟ୍ର, ପଞ୍ଜାବ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼, ଝାଡ଼ଖଣ୍ଡ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟର ବ୍ୟବସାୟୀ ସଂଘର ନେତାଙ୍କ ବ୍ୟବସାୟ ସଂପର୍କିତ ତଥ୍ୟ ଆଧାରରେ ସିଏଆଇଟି ଏଭଳି ନିଷ୍କର୍ଷରେ ପହଞ୍ଚିଛି। ସିଏଆଇଟିର ସଭାପତି ବି ସି ଭରତିଆ ଏବଂ ମହାସଚିବ ପ୍ରବୀଣ ଖଣ୍ଡେଲୱାଲଙ୍କ ପକ୍ଷରୁ ମିଳିତଭାବେ ଜାରି ବିବିୃତିରେ ଏହି ସୂଚନା ଦିଆଯାଇଛି। ଦିଲ୍ଲୀ, ପଞ୍ଜାବ, ଗୁଜରାଟ, ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶର ଅନେକ ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ‌ହୋଇଥିବାବେଳେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା ହୋଇସାରିଛି।

ସମ୍ବନ୍ଧିତ ଖବର