ରାଜ୍ୟରେ ବେପାର ୩୦% ହ୍ରାସ, ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଉପରେ ପ୍ରଭାବ କମ୍

ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି ୭୦% ହ୍ରାସ, ଆଜିଠାରୁ ପ୍ରଭାବ ବଢ଼ିବ: ବ୍ୟବସାୟୀ

ଭୁବନେଶ୍ବର: କରୋନାକୁ ରାଜ୍ୟ ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିବା ପରେ ତାହା ବ୍ୟବସାୟ ଜଗତକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ସିନେମା ହଲ୍, ସ୍ବିମିଂ ପୁଲ୍, ପ୍ଲାନେଟୋରିୟମ୍ ଓ ସାମାଜିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବଡ଼ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହା ରାଜ୍ୟର ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, କରୋନାକୁ ନେଇ ରାଜ୍ୟରେ ଭୟର ବାତାବରଣ ନଥିଲା। ଗଣମାଧ୍ୟମରୁ ଲୋକମାନେ ଯାହା କିଛି ତଥ୍ୟ ପାଉଥିଲେ। ପୂର୍ବରୁ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦେଶାବଳୀକୁ ନେଇ ସେମାନେ ସତର୍କ ଥିଲେ। ମାତ୍ର ଆଜି ରାଜ୍ୟ ସରକାର କରୋନା ପାଇଁ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଥିବାରୁ ‌ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଜରୁରୀ ନହେଲେ ଲୋକମାନେ ବାହାରକୁ ବାହାରିବା ବନ୍ଦ କରିଦେଇପାରନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଉପରେ କରୋନାର ପ୍ରଭାବ ଅପେକ୍ଷାକୃତ କମ୍ ରହିଛି। ଏହି ସାମଗ୍ରୀଗୁଡ଼ିକର ବିକ୍ରି ୨୦-୩୦ ପ୍ରତିଶତ ପ୍ରଭାବିତ ହୋଇଛି। ମାତ୍ର ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରିରେ ୭୦-୮୦ ପ୍ରତିଶତ ଭଳି ବଡ଼ ଧରଣର ହ୍ରାସ ଘଟିଛି। ପନିପରିବା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବିକ୍ରି ଏତେଟା କମିନାହିଁ। କିନ୍ତୁ, ଆଗାମୀ ଦିନରେ ବିକ୍ରି କେ‌ତେମାତ୍ରାରେ କମିବ ତାହା ଏବେଠାରୁ ଆକଳନ କରିବା କଷ୍ଟକର। ଆସନ୍ତାକାଲି ଠାରୁ କରୋନାର ପ୍ରକୃତ ପ୍ରଭାବ ବିଷୟରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସେହିପରି, ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍ ବିକ୍ରି ୨୦-୩୦ ପ୍ରତିଶତ ହ୍ରାସ ପାଇବ। ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଥିବାରୁ ସେମାନେ ଚଲାଉଥିବା ବସ୍ ଓ ଅନ୍ୟାନ୍ୟ ଗାଡ଼ିଗୁଡ଼ିକ ବନ୍ଦ ରହିବ। ତେଣୁ ସେଥିରେ ତେଲ ପକାଇବାକୁ ପଡ଼ିବ ନାହିଁ। ଦୋକାନ ବଜାର ବନ୍ଦ ରହିବାର ପ୍ରଭାବ ମଧ୍ୟ ତେଲ ବିକ୍ରି ଉପରେ ପଡ଼ିବ। ଅନଲାଇନ୍‌ରେ ଖାଦ୍ୟ ଡେଲିଭରି କରୁଥିବା କଂପାନିଗୁଡ଼ିକର କାରବାର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ‌େବାଲି ସେ କହିଛନ୍ତି।

ରାଜ୍ୟ ଅର୍ଥନୀତିକୁ କରୋନା ଗୁରୁତର ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି। ରାଜ୍ୟରେ ଯଦି କାରବାର କମିବ ତେବେ ସେହି ଅନୁସାରେ ଟିକସ ଆଦାୟ ହ୍ରାସ ପାଇବ। ରାଜ୍ୟ ସରକାରଙ୍କ ୨୦୨୦-୨୧ ବଜେଟ୍‌ ଅନୁଯାୟୀ, ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ପରିମାଣ ହେଉଛି ପ୍ରାୟ ୬ ଲକ୍ଷ କୋଟି ଟଙ୍କା। ଓଡ଼ିଶା ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି। ଅର୍ଥାତ ଆହୁରି ୧୮ ଦିନ ପର୍ଯ୍ୟନ୍ତ କଟକଣା ରହିବ। ଜିଏସ୍‌ଡିପିକୁ ଯଦି ୩୬୫ ଦିନରେ ଭାଗ କରାଯିବ ତେବେ ହାରାହାରି ଦୈନିକ ଜିଏସ୍‌ଡିପିର ପରିମାଣ ହେଉଛି ପ୍ରାୟ ୧୬୪୪ କୋଟି ଟଙ୍କା। ବିଭିନ୍ନ ପ୍ରକାର କଟକଣା କାରଣରୁ ଯଦି ଅର୍ଥନୈତିକ କାର୍ଯ୍ୟକଳାପ ୫୦% କମିଯିବ ତେବେ ରାଜ୍ୟ ଅର୍ଥନୀତିକୁ ପ୍ରତିଦିନ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ସେହି ଅନୁସାରେ ଆସନ୍ତା ୧୮ ଦିନ ଭିତରେ ରାଜ୍ୟ ଅର୍ଥନୀତିକୁ ୨୯,୬୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇପାରେ ବୋଲି କୁହାଯାଇପାରିବ।

ସମ୍ବନ୍ଧିତ ଖବର