ଭୁବନେଶ୍ବର: ଜଗତସିଂହପୁରର ଜଟାଧାରୀରେ ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ପକ୍ଷରୁ ନିର୍ମାଣ କରାଯିବାକୁ ଥିବା ବନ୍ଦରରେ ୩୦୦୦ କୋଟି ଟଙ୍କା ନିବେଶ ହେବ। କମ୍ପାନି ଏହାର ପଣ୍ୟ ପରିବହନ କ୍ଷମତାକୁ ୨୦୩୦ ସୁଦ୍ଧା ଦୁଇ ଗୁଣା ବଢ଼ାଇ ୪୦୦ ନିୟୁତ ଟନ୍ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ସେଥିପାଇଁ ଏହା ଆସନ୍ତା ପାଞ୍ଚ ବର୍ଷରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ। ନୂଆ ବନ୍ଦର ବିକାଶ କରିବା ଓ ପୁରୁଣା ବନ୍ଦରର କ୍ଷମତା ବଢ଼ାଇବାରେ କମ୍ପାନି ଏହି ପାଣ୍ଠି ବିନିଯୋଗ କରିବ। ଏହା ଓଡ଼ିଶାର ଜଟାଧାରୀ, କର୍ଣ୍ଣାଟକର କେନି ଓ ମହାରାଷ୍ଟ୍ରର ମୁର୍ବେଠାରେ ନୂଆ ବନ୍ଦର ସ୍ଥାପନ କରିବାକୁ ଯୋଜନା ରଖିଛି। ପୂର୍ବରୁ ମହାରାଷ୍ଟ୍ରର ଜୟଗଡ଼ ଓ ଗୋଆର ଧରମତାର୍‌ରେ କମ୍ପାନିର ବନ୍ଦର ରହିଛି। 

Advertisment

ରାଜ୍ୟରେ ୧୨ଟି ନୂଆ ବନ୍ଦର ସ୍ଥାପନ ହେବାକୁ ଯାଉଥିବା‌ ବେଳେ ଜଟାଧାରୀ ସେଥିରୁ ହେଉଛି ଗୋଟିଏ। ଜଗତସିଂହପୁରର ଜଟାଧାରୀ ମୁହାଣ‌ରେ ଏକ ନିଜସ୍ବ ଜେଟୀ ସ୍ଥାପନ କରିବା ଲାଗି ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ ପକ୍ଷରୁ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। କମ୍ପାନି ସ୍ଥାପନ କରିବାକୁ ଥିବା ଇସ୍ପାତ କାରଖାନା ଲାଗି ଏହି ଜେଟୀକୁ ବ୍ୟବହାର କରିବ। ରାଜ୍ୟର ନୂଆ ବନ୍ଦରଗୁଡ଼ିକ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡ଼ାରେ ସ୍ଥାପନ କରାଯିବ। ପୂର୍ବରୁ ରାଜ୍ୟରେ ତିନିଟି ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ରହିଛି। 

ଅନ୍ୟ ପକ୍ଷରେ, ଜେଏସ୍‌ଡବ୍ଲୁ ଇନ୍‌ଫ୍ରା ଓଡ଼ିଶାରେ ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସ୍ଲରି ପାଇପ୍‌ଲାଇନ୍ ମଧ୍ୟ ବିକାଶ କରୁଛି। ସେଥିରେ ୧୭ ହଜାର କୋଟି ଟଙ୍କା ନିବେଶ କରାଯାଉଛି। କମ୍ପାନିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ରିଙ୍କେଶ ରାୟ କହିଛନ୍ତି ଯେ ଏକ ଦୃଢ଼ ବନ୍ଦର ଓ ଲଜିଷ୍ଟିକ୍ ଭିତ୍ତିଭୂମି ବିକାଶ ଲାଗି କମ୍ପାନି ପ୍ରତିବଦ୍ଧ ରହିଛି।