ନୂଆଦିଲ୍ଲୀ: ନଗଦ ରାଶିକୁ କମ୍ କରିବାରେ ଛଅ ବର୍ଷ ପୂର୍ବେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣ ସଫଳ ହୋଇନାହିଁ। ଲୋକଙ୍କ ପାଖରେ ରେକର୍ଡ ପରିମାଣର ନଗଦ ରାଶି ରହିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ଲୋକଙ୍କ ପାଖରେ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ରାଶି ରହିଛି ଯାହା ୨୦୧୬ ନଭେମ୍ବରରେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣ ସମୟ ତୁଳନାରେ ୭୧.୮୪ ପ୍ରତିଶତ ଅଧିକ। ବିମୁଦ୍ରୀକରଣ ସମୟରେ ଲୋକଙ୍କ ପାଖରେ ୧୭.୭ ଲକ୍ଷ କୋଟି ଟଙ୍କାର ନଗଦ ରାଶି ଥିଲା।
୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଦେଇଥିଲେ। ସେହି ପଦକ୍ଷେପର ଲକ୍ଷ୍ୟ ଥିଲା ମୋଟା ଅଙ୍କର ନୋଟ୍ରେ ହେଉଥିବା ଦୁର୍ନୀତି ହ୍ରାସ କରିବା, କଳାଧନ ରୋକିବା ଏବଂ ଭାରତକୁ କମ୍ ନଗଦ ବ୍ୟବହାର ହେଉଥିବା (ଲେସ୍ କ୍ୟାସ୍) ଏକ ଦେଶରେ ପରିଣତ କରିବା। ଏହି ତିନିଟି ପ୍ରମୁଖ ଲକ୍ଷ୍ୟ ମଧ୍ୟରୁ କୌଣସି ଗୋଟିଏ ହାସଲ ହୋଇନଥିବା ବିଶେଷଜ୍ଞମାନେ ଦାବି କରୁଛନ୍ତି। ଲୋକଙ୍କ ପାଖରେ ଥିବା ନୋଟ୍ କହିଲେ ସାଧାରଣ ଜନତା କାରବାର କରିବା ଲାଗି ପାଖରେ ରଖିଥିବା ନୋଟ୍ ଏବଂ କଏନକୁ ବୁଝାଇଥାଏ। ଦେଶରେ ପ୍ରଚଳନରେ ଥିବା ମୋଟ ମୁଦ୍ରା ମଧ୍ୟରୁ ବ୍ୟାଙ୍କ ପାଖରେ ଥିବା ନୋଟ୍କୁ ବିୟୋଗ କରିବା ପରେ ଯାହା ଫଳ ରହିଥାଏ ତାହା ଲୋକମାନଙ୍କ ପାଖରେ ଥିବା ଟଙ୍କା ବୋଲି ବିଚାର କରାଯାଉଛି।
ଆଶ୍ଚର୍ଯ୍ୟର ବିଷୟ ହେଉଛି ପେମେଣ୍ଟ୍ ଲାଗି ଲୋକମାନେ ୟୁପିଆଇ ଭଳି ଡିଜିଟାଲ୍ ମାଧ୍ୟମକୁ ବିପୁଳ ମାତ୍ରାରେ ବ୍ୟବହାର କରୁଥିବା ସତ୍ତ୍ବେ ସେମାନଙ୍କ ପାଖରେ ଥିବା ନଗଦ ରାଶି ହ୍ରାସ ପାଇବା ବଦଳରେ ବଢ଼ୁଛି। ଏଥିରୁ ଏହା ବୁଝାପଡ଼ୁଛି ଯେ ଲୋକମାନେ ନଗଦ ମୋହ ଛାଡ଼ିପାରୁନାହାନ୍ତି। ନିକଟରେ ଶେଷ ହୋଇଥିବା ଦୀପାବଳି ସପ୍ତାହରେ ନଗଦ କାରବାର ୭,୬୦୦ କୋଟି ଟଙ୍କା ହ୍ରାସ ପାଇଥିଲା ବୋଲି ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରେ ଦାବି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/money-f.jpg)