ନୂଆଦିଲ୍ଲୀ: ନବେ ଦଶକ ବେଳକୁ ଭାରତୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିଲା। ବିଦେଶୀ ମୁଦ୍ରାର ଘୋର ଅଭାବ ଥିଲା। ଦେଶର ଭବିଷ୍ୟତ ଅନ୍ଧକାର ଦେଖାଯାଉଥିଲା। ସେଭଳି ଏକ ଗମ୍ଭୀର ସମୟରେ ପୂର୍ବତନ ଅର୍ଥମନ୍ତ୍ରୀ ମନମୋହନ ସିଂହ ୧୯୯୧ ଜୁଲାଇ ୨୪ରେ ଉପସ୍ଥାପନ କରିଥିଲେ ଏକ ଐତିହାସିକ ବଜେଟ୍ ଯାହା ଦେଶର ରୂପରେଖ ବଦଳାଇବାରେ ସହାୟକ ହୋଇଥିଲା। ସେହିଦିନଠାରୁ ଭାରତରେ ଉଦାରୀକରଣର ଯୁଗ ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି। ଆଜି ଉଦାରୀକରଣକୁ ୩୧ ବର୍ଷ ପୂରଣ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମନମୋହନ ନିଜ ବଜେଟ୍ ଅଭିଭାଷଣରେ ସେଦିନ ଭିକ୍ଟର ହ୍ୟୁଗୋଙ୍କ ଏକ ମନ୍ତବ୍ୟକୁ ଉଲ୍ଲେଖ କରି ଜଣାଇଥିଲେ ଯେ ଯେଉଁ ଚିନ୍ତାଧାରାର ସମୟ ଆସିଯାଇଛି ପୃଥିବୀର କୌଣସି ଶକ୍ତି ତାହାକୁ ଅଟକାଇ ପାରିବ ନାହିଁ। ଦୁନିଆର ଏକ ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ଭାରତ ଉଭା ହେବା ହେଉଛି ସେଭଳି ଏକ ଚିନ୍ତାଧାରା ବୋଲି ସେ କହିଛନ୍ତି। ୧୯୮୫ରୁ ଅର୍ଥନୀତିରେ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ତାହାର ସୁଫଳ ମିଳିନଥିଲା। ଅର୍ଥନୀତି ଅଧିକାଂଶ ସମୟ ଅସ୍ଥିର ରହୁଥିଲା। ଉଦାରୀକରଣ ପଛରେ ଯାହାଙ୍କ ସବୁଠୁ ବଡ଼ ହାତ ଥିଲା ସେ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ। ରାଓଙ୍କ ଜୀବନୀ ‘ହାଫ୍ ଲାୟନ’ ଲେଖିଥିବା ବିନୟ ସେନାପତିଙ୍କ ମତରେ ଉଦାରୀକରଣକୁ ପସନ୍ଦ କରିବା ଭଳି ଜଣେ ବ୍ୟକ୍ତି ବୋଲି ନରସିଂହ ରାଓ ଜଣାପଡ଼ୁନଥିଲେ। ତାଙ୍କ ଅତୀତର ରାଜନୈତିକ ଜୀବନରୁ ସେଭଳି କିଛି ଆଭାସ ମିଳୁନଥିଲା। ଏଭଳିକି ତାଙ୍କ ସରକାରରେ ଅର୍ଥନୀତି ଥିବା ମନମୋହନ ବି ଭାବୁଥିଲେ ଯେ ରାଓ ଉଦାରୀକରଣକୁ ପସନ୍ଦ କରିନପାରନ୍ତି।
କିନ୍ତୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଯିଏ ନରସିଂହ ରାଓଙ୍କ ଓଏସ୍ଡି ଭାବେ କାମ କରୁଥିଲେ ସେ ଏକ ସାକ୍ଷାତକାର ବିଷୟରେ ନିଜ ପୁସ୍ତକ ‘ଟୁ ଦି ବ୍ରିଙ୍କ୍ ଆଣ୍ଡ୍ ବ୍ୟାକ୍: ଇଣ୍ଡିଆଜ୍ ୧୯୯୧ ଷ୍ଟୋରି’ରେ ବର୍ଣ୍ଣନା କରିଛନ୍ତି। ଅର୍ଥନୈତିକ ଉଦାରୀକରଣକୁ ମୁଁ ବୁଝିପାରୁନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ କହିଥିଲେ ଓ ଏବିଷୟରେ ଅଧିକ ଜାଣିବା ଲାଗି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସହ ଏକ ବୈଠକ ଆୟୋଜନ କରିବାକୁ ସେ ରମେଶଙ୍କୁ କହିଥିଲେ। କିନ୍ତୁ କିଛି ଘଣ୍ଟାର ଆଲୋଚନା ପରେ ଦେଶ କେତେ ବଡ଼ ସଙ୍କଟ ଦେଇ ଗତି କରୁଛି ତାହା ନରସିଂହ ରାଓ ଜାଣିପାରିଥିଲେ। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଦୁଇ ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତାଙ୍କ ପାଖକୁ ପୂର୍ବତନ କ୍ୟାବିନେଟ୍ ସଚିବ ନରେଶ ଚନ୍ଦ୍ରା ଆଠ ପୃଷ୍ଠାର ଏକ ନୋଟ୍ ପଠାଇଥିଲେ ଯେଉଁଥିରେ ଦେଶର ଆର୍ଥିକ ସଙ୍କଟର ବିବରଣୀ ରହିଥିଲା। ତାହା ପଢ଼ିବା ପରେ ନରସିଂହ ରାଓ ପ୍ରଶ୍ନ କରିଥିଲେ ଆମ ଆର୍ଥିକ ସ୍ଥିତି କ’ଣ ଏତେ ଖରାପ? ତାହାର ଉତ୍ତରରେ ଚନ୍ଦ୍ରା କହିଥିଲେ ‘ନାହିଁ ସାର, ତା’ଠାରୁ ଆହୁରି ଅଧିକ ଖରାପ’। ନରସିଂହ ରାଓଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ମନମୋହନ ସିଂହଙ୍କ ଅର୍ଥନୀତି ଉପରେ ଗଭୀର ଜ୍ଞାନ ଉଦାରୀକରଣକୁ ଜନ୍ମ ଦେଇଥିଲା। ବ୍ୟବସାୟରେ ଉଦାରୀକରଣ ଓ ଲାଇସେନ୍ସ ରାଜକୁ ଶେଷ କରିବା ପରେ ଦେଶ ଦ୍ରୁତ ଅଭିବୃଦ୍ଧି ପଥରେ ଆଗକୁ ବଢ଼ିଥିଲା।