ଭୁବନେଶ୍ବର: ରାଜ୍ୟରେ ଥିବା ପାଞ୍ଚଟି ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍)ର ରପ୍ତାନି ପ୍ରତିବର୍ଷ ବଢ଼ିବାରେ ଲାଗିଛି। ପାଞ୍ଚ ବର୍ଷ ମଧ୍ୟରେ ଏସ୍ଇଜେଡ୍ରୁ ରପ୍ତାନିରେ ୧୬୯ ପ୍ରତିଶତର ବୃଦ୍ଧି ହୋଇଛି। ୨୦୧୯-୨୦ରେ ଏସ୍ଇଜେଡ୍ରୁ ରପ୍ତାନି ୧୧,୬୫୫ କୋଟି ଟଙ୍କା ଥିଲା। ୨୦୨୩-୨୪ ସୁଦ୍ଧା ତାହା ୩୧,୩୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ସଂସଦରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍ ଦେଇଥିବା ତଥ୍ୟରୁ ଜଣାପଡ଼ିଛି।
୫ ବର୍ଷରେ ରପ୍ତାନି ୧୬୯% ବୃଦ୍ଧି
ନୂଆ ଏସ୍ଇଜେଡ୍ ପ୍ରସ୍ତାବ ନାହିଁ
ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ୨୦୧୯-୨୦ରେ ଓଡ଼ିଶାର ମୋଟ ରପ୍ତାନି ୪୭,୧୯୧ କୋଟି ଟଙ୍କା ଥିଲା। ସେହି ବର୍ଷ ଏସ୍ଇଜେଡ୍ରୁ ୧୧,୬୫୫ କୋଟି ଟଙ୍କାର ରପ୍ତାନି ହୋଇଥିଲା। ଫଳରେ ମୋଟ୍ ରପ୍ତାନିରେ ଏସ୍ଇଜେଡ୍ର ଭାଗ ୨୫ ପ୍ରତିଶତ ଥିଲା। ଏହାର ପରବର୍ତ୍ତୀ ଆର୍ଥିକ ବର୍ଷ, ଅର୍ଥାତ କୋଭିଡ୍ ମହାମାରୀ ଦ୍ବାରା ପ୍ରଭାବିତ ୨୦୨୦-୨୧ରେ ମୋଟ୍ ରପ୍ତାନି ୭୫,୯୨୨ କୋଟି ଟଙ୍କା ହୋଇଥିବା ବେଳେ ଏସ୍ଇଜେଡ୍ରୁ ରପ୍ତାନି ୧୩,୪୫୪ କୋଟି ଟଙ୍କା ଥିଲା। ସେହି ବର୍ଷ ମୋଟ ରପ୍ତାନିକୁ ଏସ୍ଇଜେଡ୍ର ଭାଗ ୧୮ ପ୍ରତିଶତକୁ ଖସିଯାଇଥିଲା।
ଗତ ପାଞ୍ଚ ବର୍ଷ ମଧ୍ୟରେ ରପ୍ତାନି ଦୃଷ୍ଟିରୁ ୨୦୨୧-୨୨ ସବୁଠୁ ଭଲ ବର୍ଷ ସାବ୍ୟସ୍ତ ହୋଇଥିଲା। ସେହିବର୍ଷ ଓଡ଼ିଶାର ମୋଟ୍ ରପ୍ତାନି ଥିଲା ୧,୨୫,୭୭୮ କୋଟି ଟଙ୍କା। ଆଉ ଏସ୍ଇଜେଡ୍ଗୁଡ଼ିକରୁ ୨୬,୩୬୭ କୋଟି ଟଙ୍କାର ରପ୍ତାନି ହୋଇଥିଲା। ପରବର୍ତ୍ତୀ ଦୁଇ ବର୍ଷ ରପ୍ତାନିରେ କିନ୍ତୁ ହ୍ରାସ ଘଟିଥିଲା। ୨୦୨୨-୨୩ରେ ମୋଟ ରପ୍ତାନି ୯୦,୧୮୮ କୋଟି ଟଙ୍କା ଓ ୨୦୨୩-୨୪ରେ ୯୮,୭୮୧ କୋଟି ଟଙ୍କା ରହିଥିଲା। ୨୦୨୩-୨୪ରେ ଏସ୍ଇଜେଡ୍ରୁ ରପ୍ତାନି ୩୧,୩୩୨ କୋଟି ଟଙ୍କା ହୋଇଥିବା ବେଳେ ମୋଟ୍ ରପ୍ତାନିରେ ଏହାର ଭାଗ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଶିଳ୍ପମନ୍ତ୍ରୀ ଶ୍ରୀ ଗୋୟଲ୍ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ ଓ ଖଣିଜ ଭିତ୍ତିକ ସ୍ବତନ୍ତ୍ର ଏସ୍ଇଜେଡ୍ ସ୍ଥାପନ କରିବା ଲାଗି କୌଣସି ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ନାହିଁ। ଏସ୍ଇଜେଡ୍ ନିୟମ ୨୦୦୫ କାର୍ଯ୍ୟକାରୀ ହେବା ପରଠାରୁ କେନ୍ଦ୍ର ସରକାର କୌଣସି ଏସ୍ଇଜେଡ୍ ସ୍ଥାପନ କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/18/2T9iWuXJH0kBYjl2YhHi.jpg)