୩୨ କୋଟି ଦେଇ ବଫେଟଙ୍କ ସହ ଖାଇବେ

ନ୍ୟୁୟର୍କ: ବିଶ୍ବର ତୃତୀୟ ବଡ଼ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ନିବେଶକ ବର୍କସାୟାର ହାଥୱେ କମ୍ପାନିର ଅଧ୍ୟକ୍ଷ ୱାରେନ୍ ବଫେଟ୍‌ଙ୍କ ସହିତ ଚଳିତ ବର୍ଷ ମଧ୍ୟାହ୍ନ ଭୋଜନ କରିବା ପାଇଁ ଜଣେ ବ୍ୟକ୍ତି ୪୫୬୭୮୮୮ ଡଲାର ବା ପାଖାପାଖି ୩୨ କୋଟି ଟଙ୍କା ଖର୍ଚ କରିବେ। ଏଥିପାଇଁ ‘ଇବେ’ ପକ୍ଷରୁ କରାଯାଇଥିବା ଅନଲାଇନ୍ ନିଲାମରେ ଜଣେ ବ୍ୟକ୍ତି ଉପରୋକ୍ତ ଅର୍ଥ ଦେବାକୁ ରାଜି ହୋଇଛନ୍ତି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଜଣାପଡ଼ିନାହିଁ। ୮୮ ବର୍ଷୀୟ ବଫେଟ୍ ବିଶ୍ବର ଜଣେ ଚର୍ଚିତ ନିବେଶକ। ଗରିବମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସାନ୍ ଫ୍ରାନସିସକୋର ଗ୍ଲାଇଡ୍ ଫାଉଣ୍ଡେସନ ନାମକ ଏକ ଦାତବ୍ୟ ସଂସ୍ଥାକୁ ଏହି ନିଲାମ ବାବଦରେ ଆଦାୟ ହେଉଥିବା ଅର୍ଥ ୱାରେନ୍ ପ୍ରଦାନ କରୁଛନ୍ତି। ଚଳିତବର୍ଷ ପାଇଁ ହୋଇଥିବା ୫ ଦିନିଆ ଅନଲାଇନ୍ ନିଲାମ ଗତ ଶୁକ୍ରବାର ରାତିରେ ଶେଷ ହୋଇଛି। ଚଳିତବର୍ଷ ରେକର୍ଡ ପରିମାଣର ଅର୍ଥ ମିଳିଛି। ପୂର୍ବରୁ ୨୦୧୨ ଏବଂ ୨୦୧୬ରେ ହୋଇଥିବା ନିଲାମରେ ୱାରେନଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ସର୍ବାଧିକ ୩୪୫୬୭୮୯ ଡଲାର ମିଳିଥିଲା। ଚଳିତବର୍ଷ ନୂଆ ରେକର୍ଡ ହୋଇଛି। ଧନୀମାନେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, କେମିତି ଚଳନ୍ତି ତାହା ଜାଣିବା ‌ଲାଗି ସାଧାରଣତଃ ଅନେକ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଥାଏ। ସେଥିପାଇଁ ଏହି ନିଲାମ ମାଧ୍ୟମରେ ୱାରେନ୍‌ଙ୍କ ସହ ‌ଖାଇବା ପାଇଁ ନିଲାମରେ ଅଧିକ ଅର୍ଥ ମିଳୁଛି। ୨୦୦୦ ମସିହାରେ ଏହି ନିଲାମ ଆରମ୍ଭ ହୋଇଥିଲା। ବର୍ତମାନ ସୁଦ୍ଧା ଏ ବାବଦରେ ପ୍ରାୟ ୩୪.୨ ନିୟୁତ ଡଲାର ମିଳିଲାଣି।

ସମ୍ବନ୍ଧିତ ଖବର