ମୁମ୍ବାଇ: ଆୟକର ବିଭାଗ ଏକ ବଡ଼ ଧରଣର ଟିଡିଏସ୍‌ (ଉତ୍ସରୁ ଟିକସ କାଟିବା) ସ୍କାମ୍‌କୁ ଧରିଛି। ଏହି ସ୍କାମ୍‌ରେ କର୍ମଚାରୀଙ୍କ ଟିଡିଏସ୍‌ କଂପାନି ଗୁଡ଼ିକ କାଟୁଥିଲେ ମଧ୍ୟ ସେଗୁଡ଼ିକୁ ଆୟକର ବିଭାଗରେ ପଇଠ କରୁ ନଥିଲେ। ବରଂ ସେହି ଅର୍ଥକୁ ସେମାନଙ୍କ ବ୍ୟବସାୟ ବୃଦ୍ଧି ଦିଗରେ ବ୍ୟୟ କରୁଥିଲେ। ୪୪୭ଟି କଂପାନି ଏ ବାବଦରେ ମୋଟ ୩୨୦୦ କୋଟି ଟଙ୍କାର ଠକେଇ କରିଥିବା ଆୟକର ବିଭାଗ ଜାଣିବାକୁ ପାଇଛି।
ଆୟକର ବିଭାଗର ଟିଡିଏସ୍‌ ଶାଖା ଏହି କଂପାନି ଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି। ଏପରିକି କେତେକ କ୍ଷେତ୍ରରେ ଓ୍ଵାରେଣ୍ଟ ଜାରି କରିବା ଆରମ୍ଭ କରିଦେଇଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।
ଆୟକର ଆଇନ ଅନୁଯାୟୀ, ଏଭଳି ଅପରାଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ୩ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ସହିତ ଜରିମାନା ଆଦାୟର ବ୍ୟବସ୍ଥା ରହିଛି। ଆୟକର ଆଇନର ଧାରା ୨୭୬ ଖ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ଏତଦ୍‌ବ୍ୟତୀତ ଆୟକର ବିଭାଗ ମଧ୍ୟ ଏମାନଙ୍କ ବିରୋଧରେ ଆଇପିସିର ଧାରା ଅନୁଯାୟୀ ଠକେଇ ଓ ଆସ୍ଥା ଭଙ୍ଗ ଅଭିଯୋଗରେ ଆପରାଧିକ ମାମଲା ରୁଜୁ କରିବା ବିଷୟ ମଧ୍ୟ ଚିନ୍ତା କରୁଛି। ଏହି ସ୍କାମ୍‌ରେ ମୁଖ୍ୟତଃ ବିଲ୍‌ଡର୍‌ମାନେ ଅଛନ୍ତି। ଏତଦ୍‌ବ୍ୟତୀତ ସିନେମା ପ୍ରଯୋଜକ ସଂସ୍ଥା, ଭିତ୍ତିଭୂମି କଂପାନି, ଷ୍ଟାର୍ଟଅପ୍‌ କଂପାନି ଏବଂ ରାତାରାତି ଉଭାନ ହୋଇଯାଇଥିବା ଅନେକ କଂପାନି ଅଛନ୍ତି। ରାଜନୀତି ସହ ଜଡ଼ିତ ଥିବା ଜଣେ ବିଲ୍‌ଡର ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜମା କରି ନାହାନ୍ତି। ବନ୍ଦର ବିକାଶ କାର୍ଯ୍ୟରେ ସାମିଲ ଥିବା ଏକ ଭିତ୍ତିଭୂମି ନିର୍ମାଣ କଂପାନି ୧୪ କୋଟି ଟଙ୍କା ଜମା କରିନାହିଁ। ସେହିଭଳି ଆଇଟି ସେବା ପ୍ରଦାନ କରୁଥିବା ଏକ ବହୁରାଷ୍ଟ୍ରୀୟ କଂପାନି ୧୧ କୋଟି ଟଙ୍କାର ଟିଡିଏସ୍‌ ଅର୍ଥ ଜମା କରିନାହିଁ।
ନିକଟରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଯାଞ୍ଚରୁ ଏହି ସ୍କାମ ପଦାକୁ ଆସିଛି। ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ ମଧ୍ୟରେ ଏହି ଜାଲିଆତି ହୋଇଛି। ଆୟକର ଆଇନ ଅନୁଯାୟୀ କଂପାନି ଗୁଡ଼ିକ କର୍ମଚାରୀଙ୍କର ଟିଡିଏସ୍‌ କାଟି ରଖିବା ସହିତ ଏକ ନିର୍ଧିଷ୍ଟ ସମୟସୀମା ମଧ୍ୟରେ ଜମା କରିବା ନିୟମ ରହିଛି।
ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ କଂପାନି ଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରିବା ସହିତ ଅର୍ଥ ଆଦାୟ ପ୍ରକ୍ରିୟା ଆରମ୍ଭ କରିଦେଇଛି। କେତେକ ସଂସ୍ଥା କ୍ଷମା ପ୍ରାର୍ଥନା କରିଥିବାବେଳେ ଅନ୍ୟ କେତେକ ସଂସ୍ଥା ଅର୍ଥ ପଇଠ କରିବେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅନ୍ୟ କେତେକ ସଂସ୍ଥା ପ୍ରତିକୂଳ ବଜାର ପରିସ୍ଥିତି ଯୋଗୁ ଅର୍ଥ ଜମା କରିପାରିବେ ନାହିଁ ବୋଲି କହିଛନ୍ତି।