ଭୁବନେଶ୍ବର: କରୋନା ମହାମାରୀ ସାଧାରଣ ଜନଜୀବନ ଲାଗି ଯେତିକି ଘାତକ ଥିଲା, ବ୍ୟବସାୟ ଜଗତର ମଧ୍ୟ େସଭଳି ବଡ଼ ଧରଣର କ୍ଷତି କରିଥିଲା। ମହାମାରୀ ପ୍ରଭାବରେ ରାଜ୍ୟରେ ୩୨୦୭ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବନ୍ଦ ହୋଇଯାଇଥିଲା। ବିଧାନସଭାରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବନ୍ଦ ହୋଇଥିବା ଉଦ୍ୟୋଗଗୁଡ଼ିକର ପୁନରୁଦ୍ଧାର କରିବା ଲାଗି ୨୦୨୦-୨୧ରେ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଥିଲା। ମନ୍ତ୍ରୀଙ୍କ ସୂଚନା ଅନୁସାରେ କରୋନା ପ୍ରଭାବରେ ବାଲେଶ୍ବରରେ ସର୍ବାଧିକ ୫୬୭ଟି ଏମ୍ଏସ୍ଏମ୍ଇ ବନ୍ଦ ହୋଇଥିବା ବେଳେ ଗଞ୍ଜାମରେ ୪୮୪, ସମ୍ବଲପୁରରେ ୩୨୧, ବଲାଙ୍ଗୀରରେ ୨୮୮, ଭୁବନେଶ୍ବରରେ ୨୮୪, ସୁନ୍ଦରଗଡ଼ରେ ୨୭୨, କଳାହାଣ୍ଡିରେ ୧୮୭, ବୌଦ୍ଧରେ ୧୮୫, ରାୟଗଡ଼ାରେ ୧୭୧ ଓ ଝାରସୁଗୁଡ଼ାରେ ୧୭୦ଟି ଉଦ୍ୟୋଗରେ ତାଲା ପଡ଼ିଥିଲା। ସେହିପରି, ଭଦ୍ରକରେ ୧୫୭, ନବରଙ୍ଗପୁରରେ ୫୦ ଓ ଗଜପତିରେ ୪୫ଟି ଏମ୍ଏସ୍ଏମ୍ଇ ବନ୍ଦ ହୋଇଥିଲା।
ତେବେ ଅନୁଗୁଳ, ବରଗଡ଼, କଟକ, ଢେଙ୍କାନାଳ, ଜଗତସିଂହପୁର, ଜଗତପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ଫୁଲବାଣୀ, ପୁରୀ, ରାଉରକେଲା ଓ ସୁବର୍ଣ୍ଣପୁରରେ କୌଣସି ଏମ୍ଏସ୍ଏମ୍ଇ କରୋନା ମହାମାରୀ ପାଇଁ ବନ୍ଦ ହୋଇନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହି ସମୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ କୋଭିଡ୍ ମହାମାରୀରୁ ଏମ୍ଏସ୍ଏମ୍ଇଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ରେ ୧୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମରେ ୪୩୫୯ ଏମ୍ଏସ୍ଏମ୍ଇକୁ ୨୭ କୋଟି ଟଙ୍କା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଆନୁଷ୍ଠାନିକତା ଯୋଜନାରେ ୧୦୦୦ଟି ସଂସ୍ଥାକୁ ୧୦ କୋଟି ଟଙ୍କାର ଟପ୍-ଅପ୍ ସବ୍ସିଡି ଦିଆଯାଇଥିଲା। ସଂଶୋଧିତ ଶିଳ୍ପ ନୀତି ଅନୁଯାୟୀ ୧୭୫ ଏମ୍ଏସ୍ଏମ୍ଇର ୩୮ କୋଟି ଟଙ୍କାର ଜିଏସ୍ଟି ପ୍ରତିପାଦନ କରିବା ଲାଗି ବ୍ୟବସ୍ଥା କରାଯାଇଥିଲା ବୋଲି ସେ କହିଛନ୍ତି।