ଓମ୍ବାଡ୍‌ସି ପାଣ୍ଠିରୁ ୧୫ ପ୍ରକଳ୍ପ ଲାଗି ୩୨୧୦ କୋଟି ମଞ୍ଜୁର

3,210 crore has been sanctioned for 15 projects from the omdc

ଭୁବନେଶ୍ବର: ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ପାଣ୍ଠି ଅଧୀନରେ ଆଜି ୩୨୧୦ କୋଟି ଟଙ୍କାର ୧୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଲେଫ୍ରିପଡ଼ା, ଟାଙ୍ଗରାପାଲି, ସୁନ୍ଦରଗଡ଼, ବରଗାଁ, ସବଡେଗା ଓ ବାଲିଶଙ୍କରା ବ୍ଲକ୍‌ରେ ମେଗା ପାଇପ୍‌ ଜଳ ଯୋଗାଣ ସ୍କିମ୍ ପାଇଁ ୫୮୫.୧୬ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ମୟୂରଭଞ୍ଜ ଜିଲ୍ଲାର ୧୩ଟି ବ୍ଲକ୍‌ର ୧୦୫୩ ଗ୍ରାମରେ ପାଇପ୍‌ରେ ଜଳ ଯୋଗାଣ ପାଇଁ ୧୫୩୧.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଚାଷୀଙ୍କ ନିରନ୍ତର ଜୀବିକା କାର୍ଯ୍ୟକ୍ରମ ପାଇଁ ୮୨.୨୯ କୋଟି ଟଙ୍କା ଓ ହସ୍ତତନ୍ତ ଜରିଆରେ ଜୀବନଜୀବିକା ମିସନ ପାଇଁ ୩୫.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପାଇଁ ୪୭.୨୫ କୋଟି ଟଙ୍କା, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ଭିତ୍ତିଭୂମିରେ ଉନ୍ନତି ପାଇଁ ୩୩.୩୯ କୋଟି ଟଙ୍କା, ଓମ୍ବାଡ୍‌ସି ଅଞ୍ଚଳରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍‌ରେ ଉତ୍କର୍ଷ କେନ୍ଦ୍ର ଖୋଲିବା ପାଇଁ ୧୨୩.୪୫ କୋଟି ଟଙ୍କା, ଆଦିବାସୀ ଯୁବକଙ୍କ କୌଶଳ ବିକାଶ ପାଇଁ ୦.୧୬ କୋଟି ଟଙ୍କା, ୧୭୧୩ଟି ସ୍କୁଲ ଓ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଅପ୍ଟିକାଲ୍ ଫାଇବର୍‌ ସଂଯୋଗ ପ୍ରଦାନ ଲାଗି ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ଚାଷୀ ଓ ଯୁବବର୍ଗଙ୍କ କୌଶଳ ବିକାଶ ଓ ଉଦ୍ୟମିତା ପାଇଁ ୧୪୬.୯୨ କୋଟି ଟଙ୍କା, କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରର ମହିଳା ମୁଖ୍ୟ ଥିବା ଗରିବ ପରିବାରକୁ ଆତ୍ମନିର୍ଭରଶୀଳ କରିବା ଲାଗି ୩୫.୨୪ କୋଟି ଟଙ୍କା, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମେଗା ନର୍ସରି ବିକାଶ ପାଇଁ ୧୧.୭୧ କୋଟି ଟଙ୍କା, ଯାଜପୁରରୁ ଦୁଗ୍ଧ ସଂଗ୍ରହରେ ଉନ୍ନତି ଆଣିବା ଲାଗି ୨୦.୪୮ କୋଟି ଟଙ୍କା ଏବଂ କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଅଣ-କାଠ ଭିତ୍ତିକ ଉତ୍ପାଦର ବିପଣନ ଓ ପ୍ରକ୍ରିୟାକରଣ ଲାଗି ୪୩.୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆଜି ବିଚାରପତି ଏ କେ ପଟ୍ଟନାୟକ ଅଧ୍ୟକ୍ଷତାରେ ଓଭରସାଇଟ୍‌ ଅଥରିଟିର ବୈଠକ ଅନୁଷ୍ଠିତ ହୋଇଛି। ଓମ୍ବାଡ୍‌ସି ପାଣ୍ଠିକୁ ନେଇ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପର ଅଗ୍ରଗତିକୁ ନେଇ ସେ ସନ୍ତୋଷ ପ୍ରକଟ କରିଛନ୍ତି। ଏହି ଅବସରରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇ ତୃଣମୂଳ ସ୍ତରରେ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ପାଣ୍ଠିର ସିଇଓ ଉମା ନଦନ୍ଦୁରି ୧୪,୩୩୦ କୋଟି ଟଙ୍କା ମୂଲ୍ୟରେ କାର୍ଯ୍ୟକାରୀ ହେଉଥିବା ୩୮ଟି ପ୍ରକଳ୍ପର ଅଗ୍ରଗତି ବିଷୟରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର