ଓଡ଼ିଶାରେ ୩୨୧୬ ନୂଆ କମ୍ପାନି: ସକ୍ରିୟ କମ୍ପାନି ସଂଖ୍ୟା ୨୬,୫୫୪

ବନ୍ଦ ହୋଇଛି ୧୨,୬୮୫ କମ୍ପାନି

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୩-୨୪ରେ ସାରା ଦେଶରେ ୧,୮୫,୩୧୨ଟି ନୂଆ କମ୍ପାନିର ପଞ୍ଜୀକରଣ ହୋଇଥିଲା। ସେଥିରୁ ୩୨୧୬ଟି କମ୍ପାନି ଓଡ଼ିଶାରେ ପଞ୍ଜୀକରଣ ହୋଇଥିଲା ବୋଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଜଣାପଡ଼ିଛି। ‌୨୦୨୪ର ମାର୍ଚ୍ଚ ମାସରେ ସାରା ଦେଶରେ ୧୬,୫୯୭ଟି ନୂଆ କମ୍ପାନିର ପଞ୍ଜୀକରଣ ହୋଇଥିବା ବେଳେ ସେଥିରୁ ୨୩୫ଟି କମ୍ପାନିର ପଞ୍ଜୀକରଣ ଓଡ଼ିଶାରେ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ୩୯,୬୮୭ କମ୍ପାନିର ପଞ୍ଜୀକରଣ ହୋଇଥିବା ବେଳେ ୧୨,୬୮୫ଟି କମ୍ପାନି ବନ୍ଦ ହୋଇସାରିଛି। ୯୨ଟି କମ୍ପାନି ବନ୍ଦ ହେବା ପ୍ରକ୍ରିୟା ଦେଇ ଗତି କରୁଥିବା ବେଳେ ୧୮୩ଟି କମ୍ପାନି ବନ୍ଦ ହେବାକୁ ଯାଉଛି। ୧୭୩ଟି କମ୍ପାନିରେ କୌଣସି କାରବାର ହେଉନାହିଁ। ରାଜ୍ୟରେ ସକ୍ରିୟ ଥିବା କମ୍ପାନି ସଂଖ୍ୟା ୨୬,୫୫୪ ରହିଛି।

ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ୩୨,୫୯୬ଟି ନୂଆ କମ୍ପାନି ମହାରାଷ୍ଟ୍ରରେ ପଞ୍ଜୀକୃତ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୨୦,୬୦୩, ଦିଲ୍ଲୀରେ ୧୭,୦୦୨, କର୍ଣ୍ଣାଟକରେ ୧୪,୮୭୦, ତାମିଲନାଡ଼ୁରେ ୧୨,୬୩୬, ତେଲେଙ୍ଗାନାରେ ୧୨,୩୦୪, ଗୁଜରାଟରେ ୧୦,୨୦୫ ଏବଂ ପଶ୍ଚିମବଙ୍ଗରେ ୮୬୮୩ କମ୍ପାନି ଗଠନ ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଜାତୀୟ ସ୍ତରରେ ପଞ୍ଜୀକୃତ ହୋଇଥିବା ନୂଆ କମ୍ପାନିଗୁଡ଼ିକ ମଧ୍ୟରୁ ସର୍ବାଧିକ ହେଉଛନ୍ତି ସେବା କ୍ଷେତ୍ରର କମ୍ପାନି। ଏହା ବ୍ୟତୀତ ଟ୍ରେଡିଂ, ବିଜନେସ୍ ସର୍ଭିସେସ୍, ମାନୁଫାକ୍‌ଚରିଂ, ନିର୍ମାଣ, କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର, ଫାଇନାନ୍ସ, ବୀମା ଆଦି କ୍ଷେତ୍ରରେ ମଧ୍ୟ ବହୁ ସଂଖ୍ୟାରେ ନୂଆ କମ୍ପାନି ଗଠନ ହୋଇଛି। ଦେଶର ସର୍ବାଧିକ ସକ୍ରିୟ କମ୍ପାନି ମହାରାଷ୍ଟ୍ରରେ ଥିବା ବେଳେ ଏହା ପଛକୁ ରହିଛନ୍ତି ଦିଲ୍ଲୀ ଓ ପଶ୍ଚିମବଙ୍ଗ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ସକ୍ରିୟ କମ୍ପାନି ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୫୧୬୪ ବିଦେଶୀ କମ୍ପାନି ପଞ୍ଜୀକରଣ କରିଥିବା ବେଳେ ସେଥିରୁ ୩୨୮୮ଟି କମ୍ପାନିର ସକ୍ରିୟ ରହିଛନ୍ତି। ଏହି ମାସରେ ୪୨,୦୪୧ ନିର୍ଦ୍ଦେଶକ ପରିଚୟ ନମ୍ବର ଜାରି କରାଯାଇଛି। ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ପୁରୁଷ ହୋଇଥିବା ବେଳେ ୩୩ ପ୍ରତିଶତ ହେଉଛନ୍ତି ମହିଳା। ନୂଆ ନିର୍ଦ୍ଦେଶକ ଭାବେ ପଞ୍ଜୀକୃତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୪୩ ପ୍ରତିଶତଙ୍କ ବୟସ ୩୧-୪୫ ବର୍ଷ ମଧ୍ୟରେ ରହିଛି। ସାତ ପ୍ରତିଶତ ନୂଆ ନିର୍ଦ୍ଦେଶକଙ୍କ ବୟସ ୬୦ ବର୍ଷରୁ ଅଧିକ ରହିଥିବା ରିପୋର୍ଟ‌େର ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର