ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ୩୨୩୪ କୋଟି: ଓଡ଼ିଶାକୁ ନାବାର୍ଡର ୨୨,୭୦୯ କୋଟି ସହାୟତା

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ବର ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର, ବ୍ୟାଙ୍କ ଓ ନିଗମଗୁଡ଼ିକୁ ୨୨,୭୦୯ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସମବାୟ ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକୁ ୧୭୦୦ କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ବିଡିଟି ସୁବିଧା ଦିଆଯାଇଥିବା ବେଳେ ଦୀର୍ଘମିଆଦୀ ରିଫାଇନାନ୍ସ ବାବଦରେ ୧୫୫୧.୮୫ କୋଟି ଟଙ୍କା ଦିଆଯାଇଛି। ନାବାର୍ଡର ପ୍ରେସ୍ ବିବୃତ୍ତି ଅନୁଯାୟୀ, ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ସ୍ବଳ୍ପମିଆଦୀ ଫସଲ ଋଣ ପାଇଁ ରିଫାଇନାନ୍ସ ବାବଦରେ ୧୨,୧୯୩ କୋଟି ଟଙ୍କା ଦିଆଯାଇଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ଅଧୀନରେ ୩୨୪୩.୨୫ କୋଟି ଟଙ୍କା ଦିଆଯାଇଛି। ୨୫୧୦ଟି ଗୋଷ୍ଠୀ ଭିତ୍ତିକ ଉଠା ଜଳସେଚନ, ୧୧ଟି ମେଗା ଉଠା ଜଳସେଚନ, ୭୪ଟି ଗ୍ରାମୀଣ ପୋଲ, ୭ ମେଗା ପାଇପ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୮ ବନ୍ୟା ପ୍ରତିରୋଧୀ ପ୍ରକଳ୍ପ ଆଦି ପାଇଁ ଏହି ପାଣ୍ଠି ଜାରି କରାଯାଇଛି। କାର୍ଯ୍ୟକ୍ଷମ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ଲାଗି ମଧ୍ୟ ନାବାର୍ଡ ତରଫରୁ ସରକାରଙ୍କୁ ୨୭୩୨.୭୫ କୋଟି ଟଙ୍କା ଦିଆଯାଇଛି। ଧାନ ସଂଗ୍ରହ ପାଇଁ ସହା‌ୟତା ସ୍ବରୂପ ୫୫୯୭.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

୨୦୨୦-୨୧ରେ ନାବାର୍ଡ ତରଫରୁ ୫୮ କୋଟି ଟଙ୍କାର ଅନୁଦାନ ସହାୟତା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୭୦ଟି ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବେଳେ ଆଲୋଚ୍ୟ ଆର୍ଥିକ ବର୍ଷରେ ୬.୨୭ କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଆଦିବାସୀମାନଙ୍କ ନିରନ୍ତର ଜୀବନଜୀବିକାକୁ ନିଶ୍ଚିତ କରିବା ଲାଗି ରାଜ୍ୟର ୨୧ଟି ଜିଲ୍ଲାରେ ନାବାର୍ଡ ତରଫରୁ ୧୯୦.୬୧ କୋଟି ଟଙ୍କା ମୂଲ୍ୟର ୬୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ୨୦୨୦-୨୧ରେ ଢେଙ୍କାନାଳ ଓ କୋରାପୁଟରେ ୭.୩୯ କୋଟି ଟଙ୍କାର ଦୁଇଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେହିପରି, ରାଜ୍ୟ‌ରେ ୨୪୨ଟି କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)ର ପ୍ରସାର ଓ ବିକାଶ ଲାଗି ୨.୮୮ କୋଟି ଟଙ୍କା ଦିଆଯାଇଛି। ଏହା ୮୨୪୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି)କୁ ମଧ୍ୟ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛି ବୋଲି ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର