ସରକାର ଭରିବେ କଂପାନିଙ୍କ ଇପିଏଫ୍ ଭାଗ!

ନୂଆଦିଲ୍ଲୀ: ୧୦୦ରୁ ଅଧିକ କର୍ମଚାରୀ ଥିବା କମ୍ପାନିର କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ରାଶି ସଂକ୍ରାନ୍ତ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି ବୋଲି ଜଣାଯାଇଛି। କମ୍ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ଏହି ଯୋଜନା ଲାଗୁ ହୋଇପାରେ। ଯଦି ଏହା କାର୍ଯ୍ୟକାରୀ ହୁଏ ତା’ହେଲେ ସରକାର ପୂର୍ବରୁ ଘୋଷଣା କରିଥିବା ଯୋଜନାର ଏହା ଏକ ସଂପ୍ରସାରଣ ହେବ। ଏବେ ୧୦୦ ଜଣ ପର୍ଯ୍ୟନ୍ତ କର୍ମଚାରୀ ଥିବା କମ୍ପାନି ଯେଉଁଥିରେ ୯୦ ପ୍ରତିଶତ କର୍ମଚାରୀ ୧୫ ହଜାର ଟଙ୍କାରୁ କମ୍ ବେତନ ପାଉଛନ୍ତି ସେଗୁଡ଼ିକର ଇପିଏଫ୍‌ ଯୋଗଦାନ ସରକାର ଭରଣା କରୁଛନ୍ତି। ଉକ୍ତ ଯୋଜନାର ସମ୍ପ୍ରସାରଣ ପ୍ରସ୍ତାବ ରହିଛି। କିନ୍ତୁ ଏ ନେଇ ବିସ୍ତୃତ କିଛି ସ୍ପଷ୍ଟ ହୋଇନାହିଁ ବୋଲି ନିଜ ନାମ ଗୋପନ ରଖିବା ସ‌ର୍ତ୍ତରେ ଜଣେ ସରକାରୀ ଅଧିକାରୀ କହିଛନ୍ତି।

ତେବେ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଏ ନେଇ ଏକାଧିକ ପ୍ରସ୍ତାବ ବିଚାରାଧୀନ ଅଇଛି। ୧୫ ହଜାର ଟଙ୍କା ରୋଜଗାର କରୁଥିବା ସବୁ କମ୍ପାନିର କର୍ମଚାରୀମାନଙ୍କର ଇପିଏଫ୍‌ ସରକାର ଦାଖଲ କରିବା ଯୋଜନା ରହିଛି। ଏତଦ୍‌ବ୍ୟତୀତ ୨୦୦ ପର୍ଯ୍ୟନ୍ତ କର୍ମଚାରୀ କାମ କରୁଥିବା କମ୍ପାନି ଯେଉଁଥିରେ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ କମ୍ ସେସବୁ କମ୍ପାନିକୁ ଏହି ସୁବିଧା ମିଳିପାରେ। ଏତଦ୍‌ବ୍ୟତୀତ ୧୦୦ ପର୍ଯ୍ୟନ୍ତ କର୍ମଚାରୀ କାମ କରୁଥିବା କମ୍ପାନି ଗୁଡ଼ିକର ଇପିଏଫ୍ ଭରଣା ପାଇଁ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ କମ୍ ଥିବ ବୋଲି ଯେଉଁ ନିୟମ ରହିଛି ତାହାକୁ ୬୦ ପ୍ରତିଶତକୁ କମାଇ ଦିଆଯାଇପାରେ। ଅନ୍ୟ ଏକ ବିଷୟ ହେଲା ସରକାର ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କର ୨୪ ପ୍ରତିଶତ ଇପିଏଫ୍ ରାଶି ଜମା କରିବେ କିମ୍ବା ଏହାର କିଛି ଅଂଶ ଜମା କରିବେ ତାହା ସ୍ପଷ୍ଟ ହୋଇନାହିଁ। ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ ତା’ହେଲେ ୩ ମାସ ପାଇଁ କମ୍ପାନି ଗୁଡ଼ିକ ଏହାର ଲାଭ ପାଇବେ ବୋଲି ଆଶା ରଖାଯାଇଛି। ସରକାର ଅର୍ଥନୀତି ପାଇଁ ନୂଆ ପ୍ୟାକେଜ ଘୋଷଣା କରିବାବେଳେ ଏ ନେଇ କିଛି ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଘୋଷଣା ଅନୁଯାୟୀ, ୧୧ ଲକ୍ଷ କର୍ମଚାରୀ ଉପ‌କୃତ ହୋଇଥିବାବେଳେ ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ଏହା ୨୦ ଲକ୍ଷକୁ ବୃଦ୍ଧି ପାଇପାରେ।

ସମ୍ବନ୍ଧିତ ଖବର