ନୂଆଦିଲ୍ଲୀ: ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଲାଗୁ ହେବା ପରେ ଲୋକମାନଙ୍କ ମୁଣ୍ଡପିଛା ଆୟରେ ୩୩.୪ ପ୍ରତିଶତ ବୃଦ୍ଧି ହୋଇଛି। ଏକ ସତ୍ୟପାଠରେ ସୁପ୍ରିମ‌୍‌କୋର୍ଟଙ୍କୁ କେନ୍ଦ୍ର ସରକାର ଏହା ଜଣାଇଛନ୍ତି। ମୁଣ୍ଡପିଛା ଆୟ ବଢ଼ିବା ଯୋଗୁ ବହୁ ଲୋକ ଉଚ୍ଚ ଆୟ ବର୍ଗ ସ୍ତରକୁ ଆସିପାରିଥିବା ସରକାର କହିଛନ୍ତି। ୨୦୧୩-୧୪ରେ ସେମାନେ ଯେଉଁଭଳି ଦୁର୍ବଳ ସ୍ତରରେ ଥିଲେ ଆଉ ସେଭଳି ନାହାନ୍ତି। ସେମାନଙ୍କ ସ୍ଥିତିରେ ଉନ୍ନତି ଘଟିଛି।

Advertisment

ପ୍ରବାସୀ ଶ୍ରମିକମାନଙ୍କ ଲାଗି ଗ୍ରହଣ କରାଯାଇଥିବା କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି। ‌ଲୋକମାନଙ୍କୁ ସମ୍ମାନର ସହ ବଞ୍ଚିବା ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ଗୁଣାତ୍ମକ ଖାଦ୍ୟ ସୁଲଭ ମୂଲ୍ୟରେ ଦେବା ଲକ୍ଷ୍ୟ ନେଇ ୨୦୧୩ ସେପ୍ଟେମ୍ବର ୧୦ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ଆଇନ ବଳରେ ଗ୍ରାମାଞ୍ଚଳର ୭୫ ପ୍ରତିଶତ ପର୍ଯ୍ୟନ୍ତ ଏବଂ ସହରାଞ୍ଚଳର ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଜରିଆରେ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଦିଆଯାଉଛି। ୨୦୧୩-୧୪ରେ ଏହି ଲୋକମାନେ ସମ୍ବେଦନଶୀଳ ବର୍ଗରେ ଥିଲେ। ଖାଦ୍ୟ ସୁରକ୍ଷା ଆଇନକୁ ବ୍ୟାପକ କରାଯିବା ପରେ ଅଧିକ ଲୋକ ଏହାର ଲାଭ ପାଇପାରିଛନ୍ତି। କିନ୍ତୁ ଏଥିପାଇଁ ସରକାରଙ୍କ ରାଜକୋଷ ଉପରେ ଚାପ ବଢ଼ିଛି।

କୋର୍ଟଙ୍କୁ ସରକାର ଜଣାଇଛନ୍ତି ଯେ ଗତ ଆଠ ବର୍ଷ ଭିତରେ ୪.୭ କୋଟି ନୂଆ ରାସନ କାର୍ଡ ଜାରି କରାଯାଇଛି। ଏହି ଆଇନ ଅଧୀନରେ ଜାତୀୟ ସ୍ତରରେ ୮୧.୪ କୋଟି ହିତାଧିକାରୀ ରହିଛି। କିଛି ରାଜ୍ୟ ଏପର୍ଯ୍ୟନ୍ତ ଜାତୀୟ ହାର ନିକଟତର ହୋଇପାରିନାହାନ୍ତି। ଚଳିତ ବର୍ଷ ଅକ୍ଟୋବର ୩୧ ସୁଦ୍ଧା ୭୯.୮ କୋଟି ହିତାଧିକାରୀଙ୍କ ପାଖରେ ଏହି ଆଇନର ଲାଭ ପହଞ୍ଚିଥିଲା। ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ପାଖାପାଖି ୧.୬ କୋଟି ଲୋକ ଯୋଡ଼ି ହୋଇଥିଲେ। ଦେଶ ଗଠନରେ ପ୍ରବାସୀ ଶ୍ରମିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ଅଧିକାରକୁ ଅଣଦେଖା କରାଯାଇପାରିବନି। ବିନା ରାସନ କାର୍ଡରେ ଯେଭଳି ସେମାନେ ଖାଦ୍ୟଶସ୍ୟ ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ପୂର୍ବରୁ ସୁପ୍ରିମ‌କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଦେଶ ବିକାଶ ପଥରେ ଥିବା ବେଳେ କ୍ଷୁଧାରେ ପଡ଼ି ଲୋକମାନଙ୍କ ମୃତ୍ୟୁ ହେବାକୁ ନେଇ କୋର୍ଟ ଅସନ୍ତୋଷ ଜାହିର କରିଥିଲେ। ସର୍ବାଧିକ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଦେବା ଲାଗି କୋର୍ଟ କେନ୍ଦ୍ରକୁ କହିଥିଲେ। ଏହି କାର୍ଯ୍ୟରେ ରାଜ୍ୟଗୁଡ଼ିକ କେନ୍ଦ୍ରକୁ ସହଯୋଗ କରିବା ଦରକାର ବୋଲି କୋର୍ଟ କହିଥିଲେ।