ଶସ୍ତା ହେବ ଏଲଇଡି ଟିଭି, ଜୋତା,ଟାୟାର, ସିନେମା ଟିକେଟ ସମେତ ୩୩ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଜିଏସଟି ହାର କମିଲା

ନୂଆଦିଲ୍ଲୀ : ପ୍ରାୟ ୩୩ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର କମିବାର ସମ୍ଭାବନା ରହିଛି । କାରଣ ଜିଏସଟି କାଉନସିଲ ଆଜି ୩୩ଟି ସାମଗ୍ରୀ ଓ ସେବା ଉପରୁ ଜିଏସଟି ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏସବୁ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତରୁ ହ୍ରାସ ପାଇ ୧୨ ଓ ୫ ପ୍ରତିଶତ ରଖାଯାଇଛି । ଆଜି ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକ ପରେ ପଣ୍ଡିଚେରୀ ଉପ-ମୁଖ୍ୟମନ୍ତ୍ରୀ ଏନ.ନାରାୟଣସ୍ୱାମୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏସବୁ ସାମଗ୍ରୀ ଉପରୁ ଟିକସ ହ୍ରାସ ପାଇଁ କଂଗ୍ରେସ ଦାବି କରିଆସୁଥିଲା ।

ଗତ ମଙ୍ଗଳବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଜିଏସଟି ଲାଗୁହୋଇଥିବା ପ୍ରାୟ ୧୨ଶହ ସାମଗ୍ରୀର ୯୯ ପ୍ରତିଶତ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତ ତଳକୁ ହ୍ରାସ କରାଯିବ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଆଜି ଜିଏସଟି କାଉନସିଲର ୩୧ତମ ବୈଠକ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ବସିଥିଲା ।

ଯେଉଁ ସାମଗ୍ରୀ ଗୁଡିକରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ପାଇଛି ୩୨ ଇଞ୍ଚ ପର୍ଯ୍ୟନ୍ତ ମନିଟର ଓ ଏଲଇଡି ଟିଭି , ଗିଅରବକ୍ସ, ରିଟ୍ରେଡେଡ୍‌ ଟାୟାର, ପାଓ୍ଵାର ବ୍ୟାଙ୍କ, ଲିଥିୟମ ଆଇରନ ବ୍ୟାଟେରୀ, ଭିଡିଓ ଗେମ ଓ ଅନ୍ୟାନ୍ୟ କ୍ରୀଡା ସାମଗ୍ରୀ ଅନ୍ୟତମ । ଜୋତା ଉପରେ ଜିଏସଟି ହାର ୧୮ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଲାଗୁ ହେବ । ଫ୍ରୋଜେନ ଭେଜିଟେବୁଲ ଉପରେ ଜିଏସଟି ଲାଗୁ ହେବ ନାହିଁ । ସେହିପରି ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟ ଉପରେ ଟିକସ ହାର ୧୨ ପ୍ରତିଶତକୁ ହ୍ରାସ ପାଇଛି । ଏହା ଫଳରେ ସିନେମା ଟିକେଟ ଶସ୍ତା ହେବ । ସେହିପରି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ସୋଲାର ଏନର୍ଜି ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏକ ସାଧାରଣ ସଂଚୟ ଜମା ଖାତା କିମ୍ବା ଜନଧନ ଖାତା ଖୋଲିବା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । ଏବେ ମାତ୍ର ୨୮ଟି ବିଳାଶମୟ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଏସବୁ ଜିଏସଟି ହ୍ରାସ ଜାନୁୟାରୀ ୧ରୁ ଲାଗୁ ହେବ ।

ସମ୍ବନ୍ଧିତ ଖବର