ଇଣ୍ଟରନେଟ୍‌ ନିୟମ ଭାଙ୍ଗିଛନ୍ତି ୩୪ ସଂସ୍ଥା

ନୂଆଦିଲ୍ଲୀ : ଭାରତୀ ଏୟାରଟେଲ୍, ଟାଟା କମ୍ୟୁନିକେସନ୍ସ, ରେଲ୍‌ଟେଲ୍‌, ରିଲାଏନ୍ସ କମ୍ୟୁନିକେସନ୍ସ ଇନଫ୍ରାଷ୍ଟ୍ରକ୍‌ଚର, ସ୍ବିସ୍‌ଫୋନ୍ ଇଣ୍ଡିଆ, ସିଫି ଟେକ୍ନୋଲୋଜିସ୍ ଭଳି ୩୪ଟି ସଂସ୍ଥା ଇଣ୍ଟରନେଟ୍ ଲାଇସେନ୍ସ ନିୟମ ଉଲ୍ଲଂଘନ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନ କରୁଥିଲେ ଯାହା ଇଣ୍ଟରନେଟ୍ ଲାଇସେନ୍ସ ନିୟମର ଉଲ୍ଲଘଂନ ବୋଲି ବିଚାର କରାଯାଉଛି। ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି ବୋଲି ଆଜି ରାଜ୍ୟସଭାରେ ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ବାନ ସୂଚନା ଦେଇଛନ୍ତି।

ଇଣ୍ଟରନେଟ୍‌ ଲାଇସେନ୍ସ ନିୟମ ଭାଙ୍ଗିଥିବା ସଂସ୍ଥା ତାଲିକାରେ ସି-ଡାକ୍ ନୋଏଡା, କାନା ଇଣ୍ଟରନେଟ୍ ସର୍ଭିସେସ୍‌, ନୋଏଡା ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଓ ୱାର୍ଲଡ୍ ଗେଟ୍‌ ନେଟ୍‌ୱର୍କ, ପ୍ରାଇମ୍‌ନେଟ୍‌ ଗ୍ଲୋବାଲ୍‌ ଓ ମାଇଁ ନେଟ୍‌ ସର୍ଭିସେସ୍‌ର ନାମ ମଧ୍ୟ ରହିଛି। ୱାର୍ଲଡ୍ ଗେଟ୍‌ ନେଟ୍‌ୱର୍କସ୍ ଓ ଇ-କମ୍ ଅପର୍ଚୁନିଟିଜ୍ ବିଦେଶୀ ସାଟେଲାଇଟ୍‌କୁ ବ୍ୟବହାର କରି ବେଆଇନ ଭାବେ ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିଲେ। ସିଫି ଟେକ୍ନୋଲୋଜିସ୍, ନୋଏଡା ସଫ୍ଟଓୟାର ଟେକ୍ନୋଲୋଜି ପାର୍କ, ପାଇପ୍‌ଟେଲ୍‌ କମ୍ୟୁନିକେସନ୍ସ, ଡାଟା ଇନ୍‌ଫୋସିସ୍‌, ଆଇସିନେଟ୍ ଡଟ୍‌ ନେଟ୍‌ ଓ ଫାଇଭ୍ ନେଟ୍‌ୱର୍କ ସଲ୍ୟୁସନ୍ସ ନିଜ ଲାଇସେନ୍ସ ଓ ସେବାର ସବ୍‌ ଲିଜ୍ କରିଥିଲେ ଏବଂ ଫ୍ରାଞ୍ଚାଇଜି କଂପାନି ଜରିଆରେ ବିଲିଂ କରୁଥିଲେ। ଲାଇସେନ୍ସ ପରିଚାଳନା ଅନ୍ୟକୁ ହସ୍ତାନ୍ତର କରି ଏୟା‌ରନେଟ୍ ଇଣ୍ଡିଆ ନିୟମ ଉଲ୍ଲଘଂନ କରିଥିଲା। କାପା ଇଣ୍ଟରନେଟ୍ ସର୍ଭିସେସ୍‌, ସ୍ବିସ୍‌ଫୋନ୍ ଇଣ୍ଡିଆ ଭେଞ୍ଚର୍ସ ନିଜ ସେବା ଅଞ୍ଚଳ ବାହାରକୁ ଯାଇ ସେବା ପ୍ରଦାନ କରୁଥିବା ବେଳେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର