୩୪ ହଜାର କୋଟିର ଜିଏସ୍‌ଟି ହେରଫେର:ମୂଲ୍ୟ କମ୍‌ ଦର୍ଶାଉଛନ୍ତି, ବ୍ୟବସାୟୀଙ୍କୁ ପଠାଯିବ ନୋଟିସ

ନୂଆଦିଲ୍ଲୀ: ଦେଶରେ ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହେବାକୁ ୯ ମାସ ପୂରଣ ହୋଇନାହିଁ। କିନ୍ତୁ ଏହି ନୂଆ ଟିକସ ସଂସ୍କାର ବ୍ୟବସ୍ଥାରେ ମଧ୍ୟ ବ୍ୟବସାୟୀମାନେ ବ୍ୟାପକ ଟିକସ ଫାଙ୍କୁଛନ୍ତି। ସାମଗ୍ରୀର କଳା ବଜାର ଓ ଆମଦାନୀ କରାଯାଉଥିବା ସାମଗ୍ରୀର ମୂଲ୍ୟ କମ୍‌ ଦର୍ଶାଯାଇ ଏହି ଠକେଇ କରାଯାଉଛି। ଗତ ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୨୬ତମ ବୈଠକରେ ଏହି ଠକେଇ ବିଷୟ ପଦାକୁ ଆସିବା ପରେ ଚିନ୍ତା ବଢ଼ିଯାଇଛି।
ଦେଶରେ ଜିଏସ୍‌ଟି ଲାଗୁ ହେବାପରେ ଜୁଲାଇରୁ ଡିସେମ୍ବର ମଧ୍ୟରେ ବ୍ୟବସାୟୀମାନେ ଯେଉଁ ରିଟର୍ଣ୍ଣ ଫାଇଲ କରିଛନ୍ତି ତାହାକୁ ବିଶ୍ଳେଷଣ କରି ଟିକସ କର୍ତୃପକ୍ଷ ଜାଣିବାକୁ ପାଇଛନ୍ତି ଯେ ବ୍ୟବସାୟୀମାନେ ଏହି ସମୟ ମଧ୍ୟରେ ସେମାନଙ୍କ ଟିକସ ପ୍ରଦାନ ରାଶିକୁ ପ୍ରାୟ ୩୪ ହଜାର କୋଟି ଟଙ୍କା କମ୍‌ ଦର୍ଶାଇଛନ୍ତି। ଯେଉଁ ବ୍ୟବସାୟୀମାନେ ସେମାନଙ୍କ ଜିଏସ୍‌ଟିଆର୍‌-୧ ଏବଂ ‘ଜିଏସ୍‌ଟିଆର୍‌ ୩ ଖ’ରେ ଭିନ୍ନ ଭିନ୍ନ ଟିକସ ଦେୟତା (ଟ୍ୟାକ୍ସ ଲାଏବିଲିଟି) ଦର୍ଶାଇଛନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ନୋଟିସ ପଠାଯିବ। ଅଧିକାଂଶ କ୍ଷେତ୍ରରେ ସନ୍ଦିଗ୍ଧ ରିଟର୍ଣ୍ଣ ଗୁଡ଼ିକର ତଥ୍ୟ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପ୍ରଦାନ କରିବେ। ୩୪ ହଜାର କୋଟିର ଟିକସ ଦେୟତା କମ୍‌ ଦର୍ଶାଯାଇଥିବା ନେଇ ଯେଉଁ ରିପୋର୍ଟ ମିଳିଛି ସେଥିରେ ଅଧିକାଂଶ ୧ କୋଟି ଟଙ୍କାରୁ ଅଧିକ ଟିକସ ବର୍ଗର ରହିଛନ୍ତି।
ଟିକସ କର୍ତୃପକ୍ଷଙ୍କ ପାଇଁ କେବଳ ଏହି ପାର୍ଥକ୍ୟ ସନ୍ଦେହର ବିଷୟ ହୋଇ ରହିନାହିଁ। ଏଥିସହିତ ସୀମା ଶୁଳ୍କ ଅଧିକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଅନେକ କ୍ଷେତ୍ରରେ ଆମଦାନୀକାରୀମାନେ ଆମଦାନୀ କରୁଥିବା ଅଧିକାଂଶ ଉତ୍ପାଦର ମୂଲ୍ୟ କମ୍‌ ଦର୍ଶାଉଛନ୍ତି। ଉଦାହରଣ ସ୍ୱରୂପ ଏକ ୧୦ ହଜାର ଟଙ୍କିଆ ମୋବାଇଲ ଫୋନ୍‌ର ମୂଲ୍ୟ ୭ ହଜାର ଟଙ୍କା ଦର୍ଶାଯାଇଛି। ବିକ୍ରି ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ କମ୍‌ ଟିକସ ଦେବା ଲାଗି ସମ୍ଭବତଃ ଏହା କରାଯାଇ ପାରିଥାଏ ବୋଲି ଟିକସ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଅଧିକାରୀମାନେ ଏହା ମଧ୍ୟ କହୁଛନ୍ତି ଯେ ବଡ଼ ବଡ଼ କମ୍ପାନି ଗୁଡ଼ିକ ଆମଦାନୀ କରୁଥିବା ସାମଗ୍ରୀ ଉପରେ ଆଇଜିଏସ୍‌ଟି (ସମନ୍ଵିତ ଜିଏସ୍‌ଟି) ପ୍ରଦାନ କରୁଛନ୍ତି। କିନ୍ତୁ ଏଥିପାଇଁ ସେମାନେ କ୍ରେଡିଟ୍‌ ବା ଟିକସ ଫେରସ୍ତ ଦାବି କରୁନାହାନ୍ତି। ଏଥିରୁ ଏହା ପ୍ରତୀୟମାନ ହେଉଛି ଯେ, ଆମଦାନୀମାନେ ଦେଶରେ ବ୍ୟବସାୟୀମାନଙ୍କୁ ଯେଉଁ ସାମଗ୍ରୀ ଯୋଗାଇ ଦେଉଛନ୍ତି ସେଥିପାଇଁ କୌଣସି ବିଲ୍‌ ଦେଉନାହାନ୍ତି।
ଟିକସ ଠକେଇକୁ ରୋକିବା ଲାଗି ଯୋଜନା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସରକାର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରି ନାହାନ୍ତି। ଯାହାଫଳରେ ଜିଏସ୍‌ଟି ଆଦାୟ ପରିମାଣ ମଧ୍ୟ ମାନ୍ଦା ରହିଛି।
ଅନେକ ବ୍ୟବସାୟୀ ଭାିଥିଲେ ଯେ ସରକାର ଜିଏସ୍‌ଟିଆର-୧ ଏବଂ ଜିଏସ୍‌ଟିଆର-୩ ଖ କୁ ମିଳାଇବେ ନାହିଁ ବୋଲି ଅନେକ ବ୍ୟବସାୟୀ ଧରି ନେଇଛନ୍ତି। ଯାହାଫଳରେ ଏହି ପାର୍ଥକ୍ୟ ଦେଖାଦେଇଛି ବୋଲି କୁହାଯାଉଛି।
ମାସିକ ଜିଏସଟି ଆଦାୟ ପରିମାଣ ସରକାରଙ୍କର ହ୍ରାସ ପାଉଛି। ପ୍ରାରମ୍ଭିକ ତଥ୍ୟ ବିଶ୍ଳେଷଣରୁ ଏହା ଜଣାଯାଇଛି ଯେ ଦେଶରେ ୭୩ ହଜାର ଟିକସଦାତା ପାଖାପାଖି ୩୦ ହଜାର କେlଟି ଟଙ୍କାର ଆଇଜିଏସ୍‌ଟି ପ୍ରଦାନ କରୁଛନ୍ତି। କିନ୍ତୁ ଏଥିପାଇଁ ରିଫଣ୍ଡ ବା ଟିକସ ଫେରସ୍ତ ଦାବି କରୁନାହାନ୍ତି।
ତେବେ ଏହି ଦୁଇଟି ଟିକସ ରିଟର୍ଣ୍ଣରେ ଯେଉଁ ପାର୍ଥକ୍ୟ ଦେଖାଦେଇଛି ସେଥିରୁ ଟିକସ ଠକେଇ ହୋଇଛି ବୋଲି ନିର୍ଯାସରେ ପହଞ୍ଚିବା ଠିକ୍‌ ନୁହେଁ ବୋଲି ମଧ୍ୟ କେତେକ ଟିକସ ପରାମର୍ଶଦାତା ଓ ଟିକସ ଅଧିକାରୀ ମତ ଦେଇଛନ୍ତି। ତଥ୍ୟକୁ ଅଧିକ ଯତ୍ନର ସହିତ ବିଶ୍ଳେଷଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର