ଭୁବନେଶ୍ବର: ମାର୍କଫେଡ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ବର୍ଷ ମଧ୍ୟରେ ୩୫.୯୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ୨୦୨୩ ଆର୍ଥିକ ବର୍ଷରେ ଏହାର ବିଭିନ୍ନ କାର୍ଯ୍ୟ ପାଇଁ ୧୮.୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମାର୍କଫେଡ୍‌ରେ ରାଜ୍ୟ ସରକାରଙ୍କ ୨୦୫ କୋଟିର ଅଂଶଧନ ରହିଛି। ୨୦୧୮ ବ୍ୟତୀତ ୪ ବର୍ଷ ହେଲା ମାର୍କଫେଡ୍ ଲାଭ କରୁଥିବା ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ସଂସ୍ଥାକୁ କେନ୍ଦ୍ର ପକ୍ଷରୁ କୌଣସି ଅନୁଦାନ ମିଳି ନାହିଁ। ଚାଷୀଙ୍କୁ ରାସାୟନିକ ସାର, କୀଟନାଶକ ବିତରଣ ଏବଂ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂରେ ସହଯୋଗ ଉଦେଶ୍ୟରେ ମାର୍କଫେଡ୍‌ର ପ୍ରତିଷ୍ଠା ହୋଇଛି। ଏଥିପାଇଁ ପ୍ରାଥମିକ କୃଷି ସମବାୟ ସମିତି ସହାୟତା କରିଥାଏ।

Advertisment

କେନ୍ଦ୍ରୀୟ ସଂସ୍ଥା ନାଫେଡ୍‌ ସହିତ ଅନୁବନ୍ଧିତ ହୋଇ ବଳକା ତୈଳବୀଜ ଏବଂ ଡାଲିଜାତୀୟ ଫସଲ ସରକାରୀ ନିର୍ଧାରିତ ଦରରେ ଚାଷୀଙ୍କ ଠାରୁ କ୍ରୟ କରୁଛି। ୨୦୦୪ ମସିହାରୁ ସରକାରଙ୍କ ଏଜେନ୍ସି ଭାବରେ ଧାନ ସଂଗ୍ରହ ପାଇଁ ମାର୍କଫେଡ୍‌କୁ ଦାୟିତ୍ବ ଦିଆଯାଇଛି। ମାତ୍ର ସଂସ୍ଥା ପକ୍ଷରୁ ହାତଗଣତି ୩ରୁ୪ଟି ଜିଲ୍ଲାରେ ଧାନ ସଂଗ୍ରହ କରାଯାଉଛି। ବିଭିନ୍ନ ମାର୍କଫେଡ୍‌ରେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ସଂରକ୍ଷିତ କରି ରଖିବା ପାଇଁ ଶୀତଳଭଣ୍ଡାର ରହିଛି। ଅନ୍ୟଦିଗରେ ୫ ବର୍ଷରେ ମାର୍କଫେଡ଼ ୨୦୧୯ରେ ୧.୨୧ କୋଟି, ୨୦୨୦ରେ ୧.୬୩ କୋଟି, ୨୦୨୧ରେ ୦.୧୧ କୋଟି ଏବଂ ୨୦୨୨ ମସିହାରେ ୨.୧୩ କୋଟିର ଲାଭ କରିଛି। ୨୦୧୮ ମସିହାରେ ୦.୩୬ କୋଟିର କ୍ଷତି ସହିଥିଲା।