ଭୁବନେଶ୍ବର: ମୋବାଇଲ୍‌ ଯୋଗାଯୋଗ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିଛି। ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ମୋଟ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ସାଢ଼େ ତିନି ‌କୋଟିରୁ ଅଧିକ ହୋଇଛି। ଏହି ମାସରେ ୧,୫୫,୫୯୫ ନୂଆ ଗ୍ରାହକ ଯୋଡ଼ି ହେବାରୁ ମୋଟ୍‌ ମୋବାଇଲ୍‌ ଗ୍ରାହକ ୩ କୋଟି ୫୦ ଲକ୍ଷ ୭୯ ହଜାର ୭୦୩କୁ ବୃଦ୍ଧି ପାଇଛି। ଗ୍ରାହକ ବଢ଼ିବାରୁ ରାଜ୍ୟର ଟେଲି ସାନ୍ଦ୍ରତା ୮୦ ପ୍ରତିଶତରୁ ଅଧିକ ହୋଇଯାଇଛି। ତଥ୍ୟ ଅନୁସାରେ ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୮୦ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ରହିଛି। ଏହାସତ୍ତ୍ବେ ଜାତୀୟ ହାର ୮୫.୧୯ ପ୍ରତିଶତଠାରୁ ଓଡ଼ିଶା ପଛୁଆ ରହିଛି।

Advertisment

ଗତ କିଛି ମାସ ମଧ୍ୟରେ ଗ୍ରାହକ ସଂଖ୍ୟାରେ ଯେଉଁଭଳି ବୃଦ୍ଧି ଘଟୁଛି, ତାହା ବଜାୟ ରହିଲେ ଓଡ଼ିଶା ଶୀଘ୍ର ଜାତୀୟ ସ୍ତର ସମକକ୍ଷ ହେବାର ସମ୍ଭାବନା ରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌ରେ ତିନିଟି କମ୍ପାନି ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ କିଛି ଗ୍ରାହକଙ୍କୁ ହରାଇଛି। ଜିଓ ସର୍ବାଧିକ ୧ ଲକ୍ଷ ୫୩ ହଜାର ୯୮ ଜଣ ନୂଆ ଗ୍ରାହକ ଯୋଡ଼ିବାରୁ ଓଡ଼ିଶାରେ ଏହାର ମୋଟ୍ ଗ୍ରାହକ ସଂଖ୍ୟା ୧ କୋଟି ୬୧ ଲକ୍ଷ ୯ ହଜାର ୭୪୩କୁ ବୃଦ୍ଧି ପାଇଛି। ଏୟାରଟେଲ୍‌ ୩୮୩୯ ଗ୍ରାହକ ଯୋଡ଼ିବାରୁ ତାହାର ମୋଟ୍‌ ଗ୍ରାହକ ସଂଖ୍ୟା ୧ କୋଟି ୨୦ ଲକ୍ଷ ୫୧କୁ ବୃଦ୍ଧି ପାଇଛି। ନିୟମିତ ବ୍ୟବଧାନରେ ଗ୍ରାହକ ହରାଉଥିବା ଭୋଡାଫୋନ୍ ଆଇଡିଆ କିନ୍ତୁ ଏପ୍ରିଲ୍‌ରେ ୬୬୫୯ ନୂତନ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ଫଳରେ ଓଡ଼ିଶାରେ କମ୍ପାନି ଗ୍ରାହକ ସଂଖ୍ୟା ୧୪ଲକ୍ଷ ୪ ହଜାର ୬୩୧କୁ ବୃଦ୍ଧି ପାଇଛି। ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ୮୦୧୧ ଜଣ ଗ୍ରାହକଙ୍କୁ ହରାଇବାରୁ ଏହାର ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୬୫ ହଜାର ୨୭୮କୁ ହ୍ରାସ ପାଇଛି।